ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ (ବିଏମଏସ) ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ୪ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଳାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଶ୍ରମିକ ସମସ୍ୟା ସମ୍ବନ୍ଧିତ ୪ଗୋଟି ଦାବି ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି । ଗତ ୭ରୁ ୯ଏପ୍ରିଲ ୨୦୨୩ ପାଟନା ଠାରେ ଅନୁଷ୍ଠିତ ବିଏମଏସ ସଂଘର ୨୦ତମ ତ୍ରୟ ବାର୍ଷିକ ଅଧିବେଶସନରେ ପାରିତ ହୋଇଥିବା ପ୍ରସ୍ତାବର ସମ୍ବନ୍ଧେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ପାଟନା ଠାରେ ଅନୁଷ୍ଠିତ ଅଧିବେଶନରେ ଦେଶର ସମସ୍ତ ଶ୍ରମିକ ବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରିବା, ଠିକା ପ୍ରଥାର ଅନ୍ଧ ଅନୁକରଣ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ (ପ୍ରତିରୋଧ ଏବଂ ନିୟମିତକରଣ) ଅଧିନିୟମରେ ୧୯୭୦ର ଆବଶ୍ୟକ ସଂଶୋଧନ କରିବା, ଦେଶର ଆର୍ଥିକ ବିକାଶ ନିମିତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ଅଧିରିତ ମଜୁରୀ ନିର୍ଦ୍ଧାରଣ କରିବା ଭଳି ୪ଟି ପ୍ରସ୍ତାବ ପାରିତ ହୋଇଛି । ଉପରୋକ୍ତ ପ୍ରସ୍ତାବ ସଂଗଠିତ, ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ କ୍ରମାଗତ ଦାବି ଉପରେ ଆଧାରିତ, ଯାହା ବାସ୍ତବରେ କର୍ମଚାରୀଙ୍କ ଅଧିକାର ଅଟେ । ତେଣୁ କୋଟି କୋଟି ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମଏସ ପକ୍ଷରୁ ଦାବି କରାଯାଇଛି ବୋଲି ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଳ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହ ବିଏମଏସ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ ।