ଜୁଲାଇ ଶେଷ ସୁଦ୍ଧା ଗଠନ ହେବ ଜିଲ୍ଳା କ୍ରୀଡା ସଂଘ :ଜିଲ୍ଳାପାଳ
ବାର୍ଷିକ ସଦସ୍ୟତା ଏକ ହଜାର ଓ ଆଜୀବନ ସଦସ୍ୟତା ଦଶ ହଜାର ଟଙ୍କା ପ୍ରବେଶ ଦେୟ ନିଷ୍ପତି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସୁପ୍ତ ହୋଇପଡିଥିବା ରାୟଗଡା ଜିଲ୍ଳା କ୍ରୀଡା ସଂଘକୁ ପୁଣିଥରେ ପୁର୍ନଜୀବିତ କରିବା ପାଇଁ କ୍ରୀଡାବିତମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଜିଲ୍ଳାପାଳ ତଥା ଜିଲ୍ଳା କ୍ରୀଡା ସଂଘ ସଭାପତି ଆଜି ଜିଲ୍ଳାର କ୍ରୀଡାବିତ, ବୁଦ୍ଧିଜୀବି, ଜିଲ୍ଳାସ୍ତରୀୟ କ୍ରୀଡା ଅନୁଷ୍ଠାନର ସଭ୍ୟମାନଙ୍କୁ ନେଇ ଜିଲ୍ଳା କ୍ରୀଡା ସଂଘର ନୂତନ ସଦସ୍ୟ ତଥା ପଦପଦବୀ ପାଇଁ ନୂତନ କର୍ମକର୍ତା ଚୟନ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ତାରିଖ ଘୋଷଣା ପାଇଁ ଏକ ବୈଠକ ଡାକିଥିଲେ । ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ରାୟଗଡା ଜିଲ୍ଳା କ୍ରୀଡା ସଂଘର ନୂତନ କମିଟି ଗଠନ ହେବ ଏବଂ ସଦସ୍ୟତା ଗ୍ରହଣ ପ୍ରକ୍ରିୟା ଜୁଲାଇ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ ଜିଲ୍ଳା କ୍ରୀଡା ସଂଘର ସଭାପତି ତଥା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଆଲିନୁରଙ୍କୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଜିଲ୍ଳା କ୍ରୀଡା ସଂଘରେ ସଦସ୍ୟତା ଗ୍ରହଣ ନିମନ୍ତେ ବାର୍ଷିକ ସଦସ୍ୟତା, ସହାୟକ ସଦସ୍ୟତା, ଆଜୀବନ ସଦସ୍ୟତା ଓ ବିଭିନ୍ନ କ୍ରୀଡା ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ସଂଘରେ ସଦସ୍ୟତା ଗ୍ରହଣ କରିବା ବୟସ, ଶିକ୍ଷାଗତ ଯୋଗ୍ୟତା,ସଦସ୍ୟତା ଗ୍ରହଣ ନିମନ୍ତେ ପ୍ରବେଶ ଦେୟ,ସରକାରୀ କର୍ମଚାରୀମାନଙ୍କ ସଦସ୍ୟତା ଗ୍ରହଣ ଆଦି ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଳା କ୍ରୀଡା ସଂଘରେ ବାର୍ଷିକ ସଦସ୍ୟତା ଗ୍ରହଣ ନିମନ୍ତେ ବୈଠକରେ ଏକ ହଜାର ଟଙ୍କା ସ୍ଥିର କରାଯାଇଥିବା ବେଳେ ଆଜୀବନ ସଦସ୍ୟତା ନିମନ୍ତେ ଦଶ ହଜାର ଟଙ୍କା ଦେୟ ପ୍ରଦାନ ପାଇଁ ନିଷ୍ପତି ନିଆଯାଇଛି । ତେବେ ଆଜୀବନ ସଦସ୍ୟତାରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା କ୍ରୀଡାବିତଙ୍କ ପାଇଁ ପ୍ରବେଶ ଦେୟରେ କିଛି କୋହଳ କରାଯାଇଥିବା ବେଳେ ସଂଘ ପଦପଦବୀ ନିମନ୍ତେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଉଭୟ ଆଜୀବନ ସଦସ୍ୟତା ଏବଂ ସହାୟକ ସଦସ୍ୟତା ଗ୍ରହଣ କରିଥିବା ସଭ୍ୟମାନଙ୍କ ଭୋଟ ଦେବାର ଅଧିକାର ରହିବ ନାହିଁ ି ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ସେହିପରି ସହାୟକ ସଦସ୍ୟତା ଗ୍ରହଣ କରିବା ପାଇଁ କୈାଣସି ପ୍ରକାର ଦେୟ ରଖାଯାଇ ନ ଥିବା ବେଳେ ସଂଘ ନିର୍ବାଚନରେ କେବଳ ବାର୍ଷିକ ସଦସ୍ୟତା ଏବଂ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରିଥିବା ସଦସ୍ୟମାନେ ହିଁ ଭୋଟ ଦେବାର ଅଧିକାର ରହିବ ବୋଲି ସଭାପତି ଶ୍ରୀମତି ସ୍ୱଧାଦେବ ସିଂ କହିଥିଲେ । ଏଥିସହ ସଂଘରେ ସଦସ୍ୟତା ଗ୍ରହଣ ନିମନ୍ତେ ବସୟ ସୀମା ୧୮ବର୍ଷରୁ ୬୦ବର୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ସଂଘର ସମସ୍ତ ପଦଧାରୀ ପଦବୀ ନିମେନ୍ତ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରହିବା ବାଧ୍ୟତାମୂଳକ ବୋଲି ନିଷ୍ପତି ନିଆଯାଇଛି । ଏଥିସହ ଗୋଟିଏ ବ୍ୟକ୍ତି-ଗୋଟିଏ ପଦବୀ ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ବିଶେଷ କରି ସଦସ୍ୟତା ଗ୍ରହଣ କରିବା ପରେ ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିବା ସଦସ୍ୟମାନଙ୍କ ଯେପରି କୈାଣସି ଫୈାଜଦାରୀ ମାମଲା ନ ଥିବ ସେ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଳା,ରାଜ୍ୟ ଓ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାୟଗଡା ଜିଲ୍ଳାକୁ ପ୍ରତିନିଧିତ୍ୱ କରି ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ପାଇଥିବା ପ୍ରମାଣପତ୍ରକୁ ଉପସ୍ଥାପନା କରିବାକୁ ମଧ୍ୟ ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।
ଜିଲ୍ଳା କ୍ରୀଡା ସଂଘ ଗଠନ ପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ପାଇଁ ସହାୟକ ସଦସ୍ୟତା ଗ୍ରହଣ କରି ଜିଲ୍ଳା ମଙ୍ଗଳ ଅଧିକାରୀ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ସମେତ ୧୧ଟି ବ୍ଳକର ୧୧ଜଣ ପିଇଟିଙ୍କୁ ଦାୟିତ୍ୱ ଦେବା ପାଇଁ ଜିଲ୍ଳାପାଳ କହିଥିଲେ । ସେହିପରି ଜିଲ୍ଳା କ୍ରୀଡା ସଂଘ ପୂର୍ବରୁ ସକ୍ରିୟ ନ ଥିବାରୁ ଜିଲ୍ଳାସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରି ନ ଥିବା ବେଳେ ଗତ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଥିବା ଚଇତି କ୍ରୀଡାରେ ମଧ୍ୟ ଅନେକ ଅସୁବିଧା ଉପୁଜିଥିବା ଜିଲ୍ଳାପାଳ ପ୍ରକାଶ କରିଥିଲେ । ବୈଠକରେ କ୍ରୀଡାବିତମାନେ ସଦସ୍ୟତା ଗ୍ରହଣ ଏବଂ ପଦଧାରୀ ନିର୍ବାଚନ ପ୍ରକ୍ରିୟାକୁ ସୂଚାରୁରୂପେ ତୁଲେଇବା ପାଇଁ ଜିଲ୍ଳାପାଳଙ୍କୁ ନିବେଦନ କରିଥିଲେ ।