ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କ ଭିଡରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲାଗିଲା ରଥ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଘୋଷଯାତ୍ରାରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା । ଏଥିସହ ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି ଘୋଷଯାତ୍ରା । ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ରାୟଗଡା ଆନୁକୂଲ୍ୟରେ ମହାସମାରୋହରେ ସଶାସ୍ତ୍ରୀୟ ରୀତିରେ ପାଳିତ ହୋଇଯାଇଛି ଘୋଷଯାତ୍ରା । ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ତଥା ଜଗନ୍ନାଥ ପ୍ରେମୀଙ୍କ ଭିଡରେ ରଥାରୁଢ ଚତୁର୍ଦ୍ଧାମୂର୍ତି ପଂହଚିଥିଲେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ।
କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରଥଟଣାରେ ସାମିଲ ହୋଇଥିଲେ । ଆଜି ପୂର୍ବାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ କରାଯାଇଥିଲା । ପରେ ରଥ ଉପରେ ରାଜ ପୁରୋହିତ ବିରଂଚି ନାରାୟଣ ଦାସ ଛେରା ପଂହରା କରିବା ପରେ ଅପରାହ୍ନ ସାଢେ ୪ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା ।
ଚଳିତ ବର୍ଷ ମଧ୍ୟ ଗୋଟିଏ ପଟ ରଥ ଦଉଡିକୁ ମହିଳାମାନେ ଟାଣି ଥିବା ବେଳେ ଆଉ ଗୋଟିଏ ପଟ ଦଉଡିକୁ ପୁରୁଷମାନେ ଭାବାବେଗରେ ରଥ ଟାଣି ଥିଲେ । ସଂଧ୍ୟା ୬ଟା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପଂହଚିଥିଲା । ଆଜି ପାଗ ଅନୁକୂଳ ରହିଥିବାରୁ ହଜାର ହଜାର ସଂଖ୍ୟକ ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ଭିଡ ହୋଇଥିଲା ।
ଯାହାକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରଥଟଣା ବେଳେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଓ ଧର୍ମାନନ୍ଦ ବେହେରା, ତହସିଲଦାର ତଥା ଦେବୋତ୍ତର ଅଧିକାରୀ ତାପସ ରାଉତ, ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା, ସହକାରୀ ଜିଲ୍ଳାପାଳ ଶ୍ରୀମତି ପୁଷ୍ମାଂଜଳି ଚୈାଧୁରୀଙ୍କ ସମେତ ଅନ୍ୟ ରାଜସ୍ୱ ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଡିଏସପି ସୁଦାମ ମଲ୍ଳିକ, ରାୟଗଡା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କହଁରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସିଆରପିଏଫ ଯବାନମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ ।
ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ପାନୀୟ ଜଳ, ଅନ୍ନ ପ୍ରସାଦ ଆଦି ବଂଟନ କରାଯାଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀର ପ୍ରସାରଣ କରାଯାଇଥିଲା । ରାୟଗଡାର ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ ଦ୍ୱାରା ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧାମୂର୍ତିଙ୍କୁ ରାତ୍ର ୧୦ଘଂଟା ସମୟରେ ବିଜେ କରାଯିବାର ନୀତି ନିର୍ଦ୍ଧାରିତ ହୋଇଥିଲା ।