ବାଲିଗୁଡାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା: ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା।

ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ କରାଯିବା ପରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀମଦନ ମୋହନଙ୍କର ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା। ପରେ ଚିତାଲାଗି ଓ ବେଶ ଶେଷ ପରେ ଖଣ୍ଡିୟ ବନାଧିକାରୀ ବିଶ୍ୱ ରାଜ ପଣ୍ଡା ରଥରେ ଛେରା ପହଁରା କରିଥିଲେ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ l ତେବେ ପ୍ରବଳ ଖରା ଓ ଗରମକୁ ଖାତିର ନକରି ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ। ସନ୍ଧ୍ୟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ମନ୍ଦିର ପରିଚାଳନା ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ଲୋକନାଥ ପାଢ଼ୀ, ବିଧାୟକ ଚକ୍ର ମଣି କହଁର,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଏସଡିପିଓ, ଥାନା ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗର ବ୍ୟବସ୍ଥା କରାଯାଇଥିଲା l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.