ନର୍ଲାରେ ଆନନ୍ଦ ଉହ୍ଳାସ ମଧ୍ୟରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ସଂମ୍ପନ୍ନ

ବାଟରେ ଅଟକିଗଲେ ତିନି ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଅନୁକୁଳ ପାଗ ଯୋଗୁଁ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଘୋଷ ଯାତ୍ରା ଆଜି ମଙ୍ଗଳବାର ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା ।

ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର ଓ ତପିନ୍ଦ୍ର ଗଉଡିଆ ଛେରା ପହରା କରିଥିଲେ । ଶ୍ରୀ ଜୀଉ ମାନେ ମନ୍ଦିରରୁ ରଥ ରଖାଯାଇଥିବା ଚାରି ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ । ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ଶ୍ରୀ ପତି ଗରୁଡ ବିଗ୍ରହକୁ ବିଗ୍ରହ ଧରିଥିଲେ । ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ ।

ପ୍ରଭୁଙ୍କ ଆସନ ପରିପାଟି କଥା ଶମ୍ଭୁ ଜଡ଼ା, ପ୍ରସନ୍ନ ଗୌଡ଼ିଆ, ମନ୍ମଥ ପୁଝରୀ, ମନ ସାହୁ, ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ଚୁଳମଣି ଗଉଡିଆ, ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଥାରୁଢ ପୂର୍ବରୁ କେଡିଆ ପରିବାର ତରଫରୁ ଗୋବିନ୍ଦରାମ କେଡିଆ ଙ୍କ ଭୋଗଲାଗି ନୈବେଦ୍ୟ କରାଯିବା ପରେ ଶ୍ରୀ ଜୀଉମାନେ ରଥାରୁଢ ହୋଇଥିଲେ । ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୩୦ ସମୟରେ ରଥ ଟଣାଯାଇଥିଲା ।

ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ,ସଞ୍ଜୟ ପଣ୍ଡା ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ପ୍ରତିବର୍ଷ ନର୍ଲା ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ପହଣ୍ଡି ସମୟରୁ ରଥଟଣା ଯାଏଁ ପାଗ ଅନୁକୁଳ ରହିଥିବା ରୁ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ସେପଟେ ମାଉସୀ କାଳିଆ, ବଳିଆ ଓ ଦେବୀ ସୁଭଦ୍ରାଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ରଥ ମାଉସୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ବାଟରେ ରହିଯାଇଥିଲା ରଥ। ଭକ୍ତ ସାଲବେଗରୂପୀ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ପ୍ରତିବର୍ଷ ଠାକୁରଙ୍କ ବାଟରେ ରହଣିର ସମସ୍ତ ଦାଇତ୍ୱ ନେଇଥାନ୍ତି । ଭୋଗରାଗ ସହ ରାତି ୧୦ ଟା ଯାଏଁ ଭଜନ କୀର୍ତ୍ତନ ରେ ଆପ୍ୟାୟିତ କରିଥାନ୍ତି ତିନି ଠାକୁରଙ୍କୁ । ପ୍ରବଳ ଭକ୍ତ ସମାଗମ ଲାଗିରହିଥାଏ । ମାଉସୀ ତିନି ଠାକୁର ମାନଙ୍କ ଆଗମନର ପଥକୁ ଚାତକ ପରି ଚାହିଁ ରହିଥିବା ବେଳେ ବାଟରେ ଅଟକିଗଲେ ତିନି ଠାକୁର ।

ଚଳିତ ବର୍ଷ ନର୍ଲା ସମେତ ଅଞ୍ଚଳର ସମସ୍ତ ୧୦ ଗୋଟି ରଥଯାତ୍ରାରେ ପ୍ରବଳ ଭିଡ ଯୋଗୁଁ କିଛି ବ୍ୟତିକ୍ରମର ଆଶଙ୍କାରେ ଆମେ ଯାତ୍ରା ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖିଥିଲୁ ବୋଲି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଗଙ୍ଗାଧର ମେହେର ମତବ୍ୟକ୍ତ କରିଛନ୍ତି । ନର୍ଲା ଚାରିଛକ ରଥଯାତ୍ରାରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରି ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି । ନର୍ଲା ପୋଲିସ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ । ନର୍ଲା ରେ ଆସନ୍ତା କାଲି ବୁଧବାର ପୁଣି ରଥଟଣା ହୋଇ ତିନି ଠାକୁର ମାଉସୀ ମନ୍ଦିର କୁ ଯିବାର କାର୍ଯ୍ୟକ୍ରମ ରହିଥିବା ସଭାପତି ତଥା କର୍ତ୍ତା ଚିରଞ୍ଜିବୀ ଗୌଡିଆ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.