ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। ଏହି ଘଟଣାର ଜଡ଼ିତ ହତ୍ୟାକାରୀ ବାପା ସମେତ ଆଉ ଦୁଇଜଣକୁ ଗିରଫ କରିଛି ଧର୍ମଗଡ ଥାନା ପୋଲିସ। ସୂଚନଯୋଗ୍ୟ ଯେ, ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ଏକ ଯୋଡ଼ି ପୁଅ-ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ କିଛି ଦିନ ତଳେ ସେମାନେ ଘରୁ ପଳାଇ ଯାଇଥିଲେ। ତେବେ ସାଗୁନଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଉଭୟଙ୍କ ଗଳିତ ମୃତ ଶରୀର ଦେଖିବାକୁ ମିଳିଥିଲା। ଧର୍ମଗଡ ପୋଲିସ ଶବ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଧର୍ମଗଡ ଥାନା ପୋଲିସ ତ୍ଵରିତ୍ଵ ତଦନ୍ତ କରି ଘଟଣାର ଦୁଇ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲ ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଉଠିଥିଲା। ପ୍ରେମୀଯୁଗଳଙ୍କ ସଂପର୍କ କକା-ଝିଆରୀ ହୋଇଥିବାରୁ ନାବାଳିକା ଜେମାମାଣିଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ। ଗତ ଜୁନ୍ ୩୦ରେ ଉଭୟେ ଘର ଛାଡି ଚାଲି ଯାଇଥିଲେ। ଗାଁ ରୁ ବାହାରି ସେମାନେ ଗତାଗୁଡା ଗାଁ ପାଖରେ ଥିବା ଆଖୁ କିଆରୀରେ ଲୁଚି ରହିଥିଲେ। ନାବାଳିକା ଜେମାମାଣିଙ୍କ ବାପା କନେଶ୍ୱର ପଟେଲ କୌଣସି ମତେ ଖବର ପାଇ ନାବାଳିକାର କାକା ଓ ଭେଣେଇକୁ ସାଙ୍ଗରେ ନେଇ ପ୍ରେମୀ ଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ ସେଠାରେ ଏକ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥଲେ। ଯେପରି କାହାର ସନ୍ଦେହ ନ ହେବ ସେଥିପାଇଁ ଜୁଲାଇ ୨ ତାରିଖରେ ନବଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ। ପରେ କିଛି ଦିନ ବିତି ଯିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ନାବାଳିକାର ପରିବାର ଲୋକେ ହତ୍ୟା କରିଥିବା ନେଇ ସୁନୀଲଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ପ୍ରେମୀ ଯୁଗଳଙ୍କୁ ହତ୍ୟା କରିଥିବା ମାନି ଯାଇଥିଲେ ଅଭିଯୁକ୍ତମାନେ। ତଦନ୍ତ ଅନୁଯାୟୀ, ପୋଲିସ ଅଭିଯୁକ୍ତ ନାବାଳିକାର ବାପାକୁ ପ୍ରଥମେ ଗିରଫ କରିବା ସହ ନାବାଳିକାର ଭିଣୋଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲକୁ ଗିରଫ କରାଯାଇଥିବା ଆଜି ଭବାନୀପାଟଣା ଠାରେ ଏକ ପ୍ରେସମିଟ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଧର୍ମଗଡ ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।