ବୁଢାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ କନ୍ଧ ସମାଜ ଏକତା ଦିବସର ଶୁଭାରମ୍ଭ

କଳାହାଣ୍ଡି,୨୦/୫ : ନର୍ଲା ସ୍ଥିତ ବୁଢାରଜା ମନ୍ଦିରରେ ପାରଂପାରିକ ପୂଜାର୍ଚ୍ଚନା ସହ କନ୍ଧ ସମାଜ ଏକତା ଦିବସର ଶୁଭାରମ୍ଭ ହୋଇଛି । ଐତିହାସିକ ଅସୁରଗଡ ବୀର କମଳ ମୈଦାନରେ ଆୟୋଜିତ ହେଉଥିବା କନ୍ଧ ସମାଜର ଏକତା ଦିବସ ଓ ୨୨ ତମ କନ୍ଧ ସମାଜ ବାର୍ଷିକ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବ ଦିର୍ଧାରିତ ସୂଚୀ ଅନୁସାରେ ନର୍ଲା ବୁଢାରଜା ପୀଠରେ ପୂଜାର୍ଚ୍ଚନା ପରେ ଅସୁରଗଡ ପୀଠରେ ପୂଜାର୍ଚ୍ଚନା ଓ ବୀର କମଳ ମଇଦାନରେ ପତାକା ଉତ୍ତୋଳନ ସହ ସଭାକାର୍ଯ୍ୟ ଆରମ୍ଭ ହେବ । ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ ସମୁହରେ ଓଡିଶାରେ ବସବାସ କରୁଥିବା ସମସ୍ତ ଜିଲ୍ଲାର କନ୍ଧ ମାନେ ଯୋଗଦେଇଥିବା ଦେଖାଯାଇଛି ।


ଜାଣନ୍ତୁ ବୁଢାରଜାଙ୍କ ମହିମା

ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଭାବେ ଅସୁରଗଡ ଦୂର୍ଗର ପରିଚିତି ସାରା ଦେଶରେ ରହିଛି । ପ୍ରାଚୀନ ଉଜ୍ଜୟନୀ, କୌସମ୍ବି, ଅହିଛତ୍ର ଆଦି ନଗର ଠାରୁ କୌଣସି ଗୁଣରେ କମ ନୁହଁ ଅସୁରଗଡ । ଐତିହାସିକ, ପ୍ରାତ୍ନତାତ୍ତିକ, ପୌରାଣିକ ଓ ଜନଶୃତି କିମ୍ବଦନ୍ତିରେ ଭରପୂର ଅସୁରଗଡ ପ୍ରାଚୀନ ଦେବା ଦେବୀ ମାନଙ୍କ ଉପାସନାର କ୍ଷେତ୍ର ଭାବେ ଅଧିକ ପରିଚିତ । ଅସୁରଗଡ ବେସ୍କା ପ୍ରଗଣାର ଗ୍ରାମେ ଗ୍ରାମେ କନ୍ଧ ସଂସ୍କୃତିର ଦେବାଦେବୀ କେଉଁ ଏକ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାଚୀନ କମଳମଣ୍ଡଳ (ନର୍ଲା) ର ବୁଢାରଜା ଅନ୍ୟତମ ।

କନ୍ଧ ସଂସ୍କୃତିର ଅନନ୍ୟ ବାଦ୍ୟ ନାଦ ‘ଢାପ’ ବୁଢାରଜାଙ୍କ ମହିମାକୁ ନେଇ ମୁଖରିତ ହୋଇଛି । ଯଥା : –
” ଜୁଆର୍ ଗୋ ମାଁ ବୁଡାରଜା ପତରେ ପାନେ ପୂଜା
ତର୍ ନାମ୍ ଧରି ଗୀତ୍ ଗାଉଚୁଁ ସଭାରେ ନକର ଲଜା
ସଭାରେ ନକର ଲଜା
ସଭାରେ ନକର ଲଜା
ଜୁଆର୍ ମାଁ….
ଆମର ମାଟ ପାଟକେ ଜୁଆର୍ ମାଁ
କଲା ବୁକା ଦେମୁଁ ଦୁଆରସୁନୀକେ ଜୁଆର୍ ମାଁ ଆମର ମାଟ ପାଟକେ ଜୁଆର୍ ମାଁ ……. ।। “

କେବଳଯେ ଢାପ୍ ଗୀତ ନୁହଁ ପଶ୍ଚିମ ଓଡିଶାରେ ଦେଖାଯାଉଥିବା ସମସ୍ତ ଲୋକଗୀତରେ ବୁଢାରଜାଙ୍କ ବର୍ଣ୍ଣନା ଦେଖିବାକୁ ମିଳେ । ଏହି ଦେବତା କେଉଁ ଏକ ସ୍ମରଣାତିତ କାଳରୁ ଭୂମୀପୂତ୍ର ଆଦିବାସୀ କନ୍ଧଙ୍କ ଦ୍ବାରା ପୂଜାପାଇ ଆସୁଛନ୍ତି । ଏହି ଦେବତାଙ୍କୁ ପାରଂପାରିକ ରିତି ନିତି ଅନୁସାରେ ପୂଜା କରାଯାଇଥାଏ ।


କନ୍ଧ ସଂସ୍କୃତିର ପ୍ରତ୍ୟକ ପାଖୁଡା ସେମାନଙ୍କ ଦେବାଦେବୀ ଉପାସନା ସହ ମହକିତ । ବିଶ୍ବର ଅଦିଦ୍ବୀୟ କନ୍ଧ ସଂସ୍କୃତି ଅରଣ୍ୟବାସୀ ସମାଜ ସମୟ ଠାରୁ ବର୍ତ୍ତମାନର ଆଧୁନିକ ସମାଜ ପର୍ଯ୍ୟନ୍ତ ତାର ଜୟଯାତ୍ରା ଜାରିରଖିଛି । ଏହି ମହାନ ସଂସ୍କୃତିର ସଂରକ୍ଷଣ, କନ୍ଧ ସମାଜର ବିବିଧ ଦିଗ ଉପରେ ଆଲୋଚନା ସହ ୧୮୮୨ ମଇ ମାସରେ ଅସୁରଗଡ ବେସ୍କା ପ୍ରଗଣାରୁ ଆରମ୍ଭ ହୋଇଥିବା ଐତିହାସିକ କନ୍ଧ ମେଳୀର ଉଦ୍ଦୌକ୍ତା ବୀର କମଳ ମାଝୀଙ୍କ ସୃତିଚାରଣ ନିମନ୍ତେ ପ୍ରତିବର୍ଷ ଅସୁରଗଡରେ ଆୟୋଜିତ ହୋଇଆସୁଛି ଏହି ଦିବସ ।

ଖବର ଓ ଉପସ୍ଥାପନା :

ଡିଜି ପ୍ରଧାନୀ

ବଲାଂଗିର – କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.