କାଣିକୁପା-ଗୁଣ୍ଡୁରୀ କୁସୁମ ଘାଟି ରାସ୍ତା ଶୋଚନୀୟ

ରାସ୍ତା ନିର୍ମାଣ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରୀ ଓ ଭଟାଙ୍ଗପଦର ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ଏକତ୍ରିତ ହୋଇ ଆଜି କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭଟାଙ୍ଗପଦର ପଞ୍ଚାୟତର କାଣିକୁପା ମଦ ଭାଟିରୁ ଭାୟା ନାନ୍ଦକନା ଓ ସିନାଖୁଟି ଗାଁ ଦେଇ ଗୁଣ୍ଡୁରୀ ପଞ୍ଚାୟତର ଗୁଣ୍ଡୁରୀ ପର୍ଯ୍ୟନ୍ତ ପାଖାପାଖି ୫କି.ମି.ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା ସତ ହେଲେ ପରିତାପର ବିଷୟଯେ’ ୨ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଉକ୍ତ ରାସ୍ତା ଅନ୍ତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି।ଏହି ରାସ୍ତାକୁ କୁସୁମ ଘାଟି ରାସ୍ତା ବୋଲି ସମସ୍ତେ ଜାଣନ୍ତି ଏବଂ ଏହି ରାସ୍ତାରେ ଉକ୍ତ ଦୁଇଗୋଟି ପଞ୍ଚାୟତ ବାସିନ୍ଦା ସମ୍ପୂର୍ଣ୍ଣ ଭାବରେ ନିର୍ଭର କରନ୍ତି। କେବଳ ସାଇକେଲ ଓ ଦୁଇ ଚକିଆ ଯାନବାହାନ କଷ୍ଟେମଷ୍ଟେ ଯିବା ଆସିବା କରୁଥିବା ବେଳେ ଚାରିଚକିଆ ଯାନବାହାନା ଯାତାୟାତର ସମ୍ଭବ ହୋଇପାରୁନାହିଁ। ଏହି କୁସୁମ ଘାଟି ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ସମ୍ପୂର୍ଣ ଯାଇପାରୁନାହିଁ ଯାହା ଫଳରେ ଅଞ୍ଚଳର ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନେ ଡାକ୍ତରଖାନା ଯିବା ପାଇଁ ନାହିଁ ନ’ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖରାପ ଯୋଗୁଁ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଥିବା ମଧ୍ଯ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ଏନେଇ ଭଟାଙ୍ଗପଦର ପଞ୍ଚାୟତର ନାଏବ ସରପଞ୍ଚ ଅସେଅମର ତାଣ୍ଡିଙ୍କ ନେତୃତ୍ବରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଲିଙ୍ଗରାଜ ପ୍ରଧାନଙ୍କ ସହାୟତାରେ ମଙ୍ଗଳବାର ଜିଲ୍ଲାପାଳ ଅଫିସ୍ ଯାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ତେବେ ଯଦି ୨ମାସ ଭିତରେ ଉକ୍ତ କୁସୁମ ଘାଟି ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନ’ନିଆ ଯାଏ ତାହାହେଲେ ଆଗାମି ଦିନରେ ସମସ୍ତ ପଞ୍ଚାୟତବାସୀ ଏକତ୍ରିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଦାବୀ କରିଛନ୍ତି। ଅପରପକ୍ଷରେ ବିଭାଗୀୟ ମୁଖ୍ଯଯନ୍ତ୍ରୀଙ୍କୁ ଆଜି ହିଁ ଚିଠି କରିବୁ ବୋଲି ଶ୍ରୀ ଦରୱାନ ଆଶ୍ୱାସନା ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଶରତ ନାଗ, ରଘୁନାଥ ମାଝୀ, ପିଙ୍କୁ ନାଗ, ଭାସ୍କର ନାଗଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.