ବୀର କମଳ ମାଝୀଙ୍କ ସୃତି ଚାରଣ ସହ କନ୍ଧ ସଂସ୍କୃତି ଓ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା
କଳାହାଣ୍ଡି,୨୦/୫ : ୧୮୮୨ ମସିହା ଆଜିର ଦିନରେ ଇଂରେଜ ସରକାରଙ୍କ ଦ୍ବାରା ଫାସି ଦଣ୍ଡରେ ଦଣ୍ଡିତ ହୋଇଥିଲେ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା ବୀର କମଳ ମାଝୀ । ଏହା ସହ ୧୯ ଜଣ କନ୍ଧ ଓ ଜଣେ ଗଉଡ ( ରେଖପୁର ଗୌନ୍ତିଆ ଜଗତ ଭୋଇ ) ଲୋକଙ୍କୁ କଳାପାଣି ଦଣ୍ଡାଦେଶ ଦେଇଥିଲେ ଇଂରେଜମାନେ । ଜାତି ସ୍ବାଭିମାନ ରକ୍ଷା କରିବାକୁ ପ୍ରାଣବଳୀ ଦେଇଥିଲେ ଏହି ବୀର ପୁରୁଷ ମାନେ । ଏମାନଙ୍କ ବଳିଦାନ ଦିବସକୁ ବିଗତ ୨୨ ବର୍ଷ ହେଲା ପାଳନ କରିଆସୁଛି କନ୍ଧ ସମାଜ । କନ୍ଧ ସମାଜ ଏକତା ଦିବସ ଭାବେ ସୁପରିଚିତ ମଇ ୨୦ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ବେସ୍କା ପ୍ରଗଣାରେ ଆୟୋଜିତ ହୋଇଆସୁଛି କନ୍ଧ ସମାଜର ବାର୍ଷିକ ଉତ୍ସବ ।

ଆଜିର ଦିନରେ ସ୍ମରଣରେ ଆସନ୍ତି ବୀର କମଳ ମାଝୀ ଓ ସେହି ୨୦ ଜଣ ବୀର ପୁଙ୍ଗବ । କଳାହାଣ୍ଡିର ଭୂମିପୂତ୍ର ଆଦିବାସୀ କନ୍ଧ ସମାଜ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା କନ୍ଧ ଦାୟାଦ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରନ୍ତି ସେହି ପ୍ରଚଣ୍ଡ ସ୍ବାଭିମାନୀ ଓ ଜାତି ପ୍ରେମୀ ବୀର ପୁରୁଷ ମାନଙ୍କୁ । ଏହା ସହ ନିଜ ସମାଜର ବିଭିନ୍ନ ଦିଗ ଉପରେ ଅଲୋକପାତ କରି ମାନସ ମନ୍ଥନ କରନ୍ତି ବିଗତ ଇତିହାସକୁ ।

ଏହି ଇତିହାସ ଓ ଐତିହ୍ୟ ସେମାନଙ୍କୁ ପ୍ରରଣା ଦିଏ ସୁସଂଗଠିତ ହେବାକୁ । ମାର୍ଗ ଦର୍ଶନ କରାଏ ଅନ୍ୟାୟ ବିରୁଦ୍ଧରେ ଶ୍ବର ଉତ୍ତୋଳନ କରିବାକୁ ଓ ସମାଜକୁ ଚେତାଇ ଦିଏ ଏକ ବୀର ଜାତିର ସ୍ବାକ୍ଷର ବହନ କରୁଥିବା ଆଦିମ ଜାତି କନ୍ଧ ମାନଙ୍କ ସ୍ବର୍ଣ୍ଣିମ ସଂସ୍କୃତି, ପରଂପରା ଓ ସ୍ବାଭିମାନର ପୃଷ୍ଠ ଭୂମିକୁ ।
ପାରଂପାରିକ ବାଦ୍ୟ ନୃତ୍ୟରେ କଂପିଲା ବୀର କମଳ ମଇଦାନ

ଆଜି ପ୍ରଥମେ ନର୍ଲା ସ୍ଥିତ ବୁଢାରଜା ପୀଠରେ ପୂଜାର୍ଚ୍ଚନା କରିବା ପରେ ଅସୁରଗଡ ପୀଠରେ ପୂଜା ନିତି ସଂପନ୍ନ ହୋଇଥିଲା । ଏହାପରେ ବୀର କମଳ ମଇଦାନ ଅସୁରଗଡର ସୃତି ପୀଠରେ ପୂଜା କରାଯାଇଥିଲା ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମାନେ ପାରଂପାରିକ ବାଦ୍ୟ ନୃତ୍ୟ ସହ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ କରିଥିଲେ । ଆଦିବାସୀ କନ୍ଧଙ୍କ ବୀର ନାଦରେ ପ୍ରକପିଂତ ହୋଇ ଉଠିଥିଲା ଗଗନ ପବନ ।
ବାର୍ଷିକ ଉତ୍ସବ ସମାରୋହ

ମଧ୍ୟାନ୍ନରେ ଆରମ୍ଭ ହୋଇଥିଲା କନ୍ଧ ସମାଜର ବାର୍ଷିକ ଉତ୍ସବ । ଏଥିରେ ଅତିଥି ଭାବେ ଆଦିବାସୀ ସଂଘ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ଭୋଇ, କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ । ବଲାଂଗିର ଜିଲ୍ଲା ସଭାପତି ଉଜ୍ଜଳ ସିଂ ଭୋଇ ଓ ସୁରେଶ ଭୋଇ, ନର୍ଲା ବ୍ଲକ ସଭାପତି ଅନ୍ତରାମ ମାଝୀଙ୍କ ସହ ବିଭିନ୍ନ ବ୍ଲକ ସଭାପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ରହି ବୀର କମଳ ମାଝୀଙ୍କ ସ୍ମୃତି ଚାରଣ ସହ କନ୍ଧ ସମାଜର ଶିକ୍ଷା, ସଂସ୍କୃତି, ପରଂପରା, ସାମାଜିକ ଓ ଅର୍ଥନୈତିକ ଆଦି ବିକାଶ ମୂଳକ ଦିଗ ଉପରେ ଆଲୋକପାତ କରିଥିଲେ ।
ସମ୍ବର୍ଧନାର ପର୍ବ

ଏହି ଅବସରରେ ମରୋଣୋତ୍ତର ଭାବେ ବୀର କମଳ ମଇଦାନର ପ୍ରଥମ ସଭାପତି ହରିହର ମାଝୀ ( ଦେହେଲି ), ପୂର୍ବତନ ଜିଲ୍ଲା ସଭାପତି ବେଣୁଧର ଭୋଇ, ସ୍ବାଧିନତା ସଂଗ୍ରାମୀ ତଥା କନ୍ଧ ସଂସ୍କୃତିର ପ୍ରଜ୍ଞାବାନ ପୁରୁଷ ବାଲି ମାଝୀ ଓ କୁଶୁର୍ଲାର ବିଶିଷ୍ଟ ଆଦିବାସୀ ସଂଗଠକ କମଳ ଲୋଚନ ଜାନୀ ଙ୍କୁ ସମ୍ମାନିତ କରାଯାଇଥିଲା । ଉପରୋକ୍ତ ମହାନ ବ୍ୟକ୍ତିତ୍ବ ମାନଙ୍କ ଦାୟାଦ ମାନେ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏହା ବୀର କମଳ ମାଝୀଙ୍କ ନାମରେ ଏକ ଦିବସ ପାଳନ କରିବାକୁ ପ୍ରଥମେ ପ୍ରସ୍ଥାବ ଦେଇଥିବା ନେତ୍ରାନନ୍ଦ ଭୋଇ ( ବଲାଂଗିର ), କନ୍ଧ ସଂଗଠକ ଦେବରାଜ ପାଟମାଝୀ, ଯୁବ କଳାକାର ଲୋଚନ ମାଝୀ ଓ ନିୟମଗିରି ସୁରକ୍ଷା ସମିତିର ସଂଗ୍ରାମୀ ପୁରୁଷ ଲଦ ସିକକା ପ୍ରମୂଖଙ୍କୁ ସମ୍ବର୍ଧିତ କରାଯାଇଥିଲା ।
ଉନ୍ମୋଚିତ ହେଲା ଭୀମା ପତ୍ରିକାର ନୂତନ ସଂଖ୍ୟା

ବିଶିଷ୍ଟ ଆଦିବାସୀ ସଂସ୍କୃତି ଗବେଷକ ମେଦିନିଧର ଜାନୀଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ଭୀମା’ ପତ୍ରିକାର ଉନ୍ମୋଚନ ଅତିଥି ମାନଙ୍କ କର କମଳରେ ହୋଇଥିଲା । କନ୍ଧ ସଂସ୍କୃତିର ବାହକ ଭାବେ ଏହି ପତ୍ରିକା କାର୍ଯ୍ୟକରୁଥିବାରୁ ପତ୍ରିକାର ସଂପାଦନା ମଣ୍ଡଳୀକୁ ପ୍ରସଂସା କରିଥିଲେ ଅତିଥି ମଣ୍ଡଳୀ ।
ପ୍ରଥମକରି ଯୋଗଦେଲେ ନିୟମଗିରି ଝରଣିଆ କନ୍ଧ

କଳାହାଣ୍ଡି, ବଲାଂଗିର ଓ ବୌଦ ଜିଲ୍ଲାରେ ବେସ୍କା ପ୍ରଗଣା, ମିଲକି ପ୍ରଗଣା, ଗୁବରିଆ ପ୍ରଗଣା, ଗଞ୍ଜା ପ୍ରଗଣା ଆଦି ୪୬ ଟି ପ୍ରଗଣା ଥିବାବେଳେ ଏଥିରେ ଦେଶିଆ କନ୍ଧ ମାନେ ବସବାସ କରିଆସୁଛନ୍ତି । ଏତତ ବ୍ୟତିରେକ ଏସବୁ ଅଞ୍ଚଳର ବିଭିନ୍ନ ବଣ ଜଙ୍ଗଳ, ପାହାଡ ପର୍ବତରେ ଅନେକ ବର୍ଗର କନ୍ଧ ମାନେ ବସବାସ କରିଆସୁଛନ୍ତି ସେମାନଙ୍କ ମଧ୍ୟରୁ ଝରଣିଆ କନ୍ଧ ମାନେ ଅନ୍ୟତମ । ଏଥର ବୀର କମଳ ମଇଦାନରେ ଦେଖିବାକୁ ମିଳିଥିଲେ ଝରଣିଆ କନ୍ଧମାନେ ।
ସଫଳତାର ସହ ପରିସମାପ୍ତି ହେଲା ଏକତା ଦିବସ : ପୁଣି ଅପେକ୍ଷା ୨୦୨୦ ମଇ ୨୦ ତାରିଖକୁ

ଶିକ୍ଷାବିତ କ୍ଷୀତିଶ ମାଝୀ ଓ କଳାକାର ଲଲିତ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ବୀର କମଳ ମଇଦାନର ସଭାପତି ଦୂର୍ଯ୍ୟୋଧନ ମାଝୀ, ଉପ ସଭାପତି ରାଜକିଶୋର ମାଝୀ, ସାଧାରଣ ସଂପାଦକ ଲୋକନାଥ ଭୋଇ, ଯୁଗ୍ମ ସଂପାଦକ ରତନ ଭୋଇ, କୋଷାଧ୍ୟକ୍ଷ ବୈଦ୍ୟନାଥ ମାଝୀଙ୍କ ସମେତ ୨୬ଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।
ବଲାଂଗିର କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି ଡିଜି ପ୍ରଧାନୀ ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇





