ଖଲ୍ଲିକୋଟ ବ୍ଲକରୁ କେବେ ହଟିବ ଦାଦନ ଯନ୍ତ୍ରଣା : ୨ ଠିକାଦାରଙ୍କ ବିରୁଦ୍ଧରେ ଭେଜିପୁଟ ଥାନାରେ ଏତଲା ଦେଲେ ଦୁବାଇରେ ନିର୍ଯ୍ୟାତିତ ୧୭ ଶ୍ରମିକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସାରା ରାଜ୍ୟରେ ଖଲ୍ଲିକୋଟ ବ୍ଲକ ଏକ ଦାଦନ ପ୍ରବଣ ବ୍ଲକରେ ପରିଣତ ହୋଇଥିବା ବେଳେ ଏହି ସମସ୍ୟାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ସୁଦୂରପ୍ରସାରୀ ଯୋଜନା ହାତକୁ ନ ନେବା ଫଳରେ ଦିନକୁ ଦିନ ଶ୍ରମିକମାନେ ରାଜ୍ୟ ଓ ଦେଶ ବାହାରକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସାଙ୍ଗକୁ ଶବ ହୋଇ ଘରକୁ ଫେରିବା ଅଗଣିତ ଉଦାହରଣ ଠିଆ ହୋଇଛି। ଯାହା ଫଳରେ ବ୍ଲକର ବହୁ ଦାଦନ ଶ୍ରମିକଙ୍କ ପରିବାର ଉଚ୍ଛନ୍ନ ହେଲେଣି। ଗତ ସପ୍ତାହ ତଳେ ଖଲ୍ଲିକୋଟ ବ୍ଲକର ମାଣିକପୁର ଓ ମହେଶ୍ୱରପୁର ଗ୍ରାମର ଦୁଇଟି ଶ୍ରମିକଙ୍କ ଶବ ଦୁବାଇ ଓ ଇଥଓପିଆରୁ ଫେରିବାରର ଜୁଇ ଲିଭି ନଥିବା ବେଳେ ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆପଲି, କଇଠଡା, ଲଙ୍ଗଳେଶ୍ୱର ଓ ଗଞ୍ଜାମ ବ୍ଲକ ର ପାଲୁର ଗ୍ରାମର ୨୦ ଜଣ ଶ୍ରମିକ ଦୁବାଇରେ ଫସିରହି ଅକଥନୀୟ ନିର୍ଯ୍ୟାତନା ସାଙ୍ଗକୁ ଭୋକ ଉପବାସରେ ଏଣେତେଣେ ଘୁରି ବୁଲୁଥିବା ପରିବାର ଲୋକଙ୍କୁ ଓ ସାମାଜିକ ଗଣମାଧ୍ୟମରେ ସୂଚନା ଦେବାପରେ ପରିବାର ଲୋକ ମାନେ ଆତଙ୍କିତ ହୋଇ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଲାଗିପଡ଼ିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଏହିସବୁ ଗ୍ରାମର ୧୭ଜଣ ଶ୍ରମିକ ଦୁବାଇ ଯିବା ପାଇଁ ଲଙ୍ଗଳେଶ୍ୱର ଗ୍ରାମର ଦୁଇଜଣ ଦାଦନ ଠିକାଦାରଙ୍କୁ ମୁଣ୍ଡ ପିଛା ଏକ ଲକ୍ଷ ଟଙ୍କା ଘରବାଡି ବନ୍ଧା ପକାଇ ପ୍ରଦାନ କରିଥିଲେ। ଦୁବାଇ ଠାରେ ମାସିକ ୩୫ହଜାର ଟଙ୍କା ଦରମା ଓ ଖାଇବା, ଔଷଧ ପାଇଁ ଚୁକ୍ତି କରିଥିଲେ। ତେବେ ଉକ୍ତ ଦୁଇଜଣ ଠିକାଦାର ଉକ୍ତ ଶ୍ରମିକମାନଙ୍କୁ ଟୁରିଷ୍ଟ ଭିସାରେ ଛାଡି ଦେଇଥିଲେ। ସେଠାରେ ୱାଟ ଆଲୁର ନାମକ ଏକ ଘରୋଇ କମ୍ପାନୀରେ ଚାରିମାସ କାମ କଲା ପରେ ମାତ୍ର ଏକ ମାସର ଦରମା ଦେଇଥିଲେ। ଶ୍ରମିକମାନଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିଲେ। ଦରମା ମାଗିଲେ ଶ୍ରମିକମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଏହି ଶ୍ରମିକମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଗତକାଲି ଭେଜିପୁଟ ଫାଣ୍ଡିରେ ଲଙ୍ଗଳେଶ୍ୱର ଗ୍ରାମର ଦୁଇ ଦାଦନ ଠିକାଦାରଙ୍କ ବିରୁଦ୍ଧ ଏତଲା ଦେଇ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିବା ଜଣାପଡିଛି। ତେବେ ଖଲ୍ଲିକୋଟ ବ୍ଲକର ବର୍ତ୍ତମାନ ୨୨ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରେ ଓ ବିଦେଶରେ ସ୍ୱଳ୍ପ ପାରିଶ୍ରମିକରେ କାଳ କାଟୁଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ। ତେବେ ଗତ କରୋନା ସମୟରେ ଭିଟାମାଟିକୁ ଫେରିଥିବା ୧୪ହଜାର ଶ୍ରମିକଙ୍କ ପାଇଁ ଆବଶ୍ୟକ କର୍ମପନ୍ଥା ଯୋଗାଡ ପାଇଁ ସରକାର ପ୍ରତିଶୃତି ଦେଇଥିଲେ। ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ମନେରେଗା ଯୋଜନା ଶ୍ରମିକଙ୍କ ସ୍ୱାର୍ଥରେ ଲାଗିବା ପରିବର୍ତ୍ତେ ଅଣ-ଶ୍ରମିକଙ୍କ ସ୍ୱାର୍ଥରେ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ତେବେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକରୁ ଦାଦନ ସମସ୍ୟା ହଟିବ କେବେ, ସେନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ପ୍ରକାଶ ଥାଉକି, ମଙ୍ଗଳବାର ଦିନ ତିନିଜଣ ଶ୍ରମିକ ଭିଟାମାଟିକୁ ଫେରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.