ତୋତେ ପାଇଯିବା ପରେ
ଆଉ କିସ ନିପାଇଲା ରହିଲା ଯେ
ଓଜର କରିବି
ଗୁହାରୀ ବାଢିବି
ତୋ ନିଶ୍ଚିନ୍ତତାକୁ
ତୁଚ୍ଛାଟାରେ ବିଗାଡିବି
ଆଉ , ତୋତେ
ଚିନ୍ତାରେ ଡୁବାଇ ଜାଳିବି ……… ।
ତୋତେ ପାଇଗଲା ପରେ
ଦୂବ ପାଲଟିଛି ଦାରୁ
ବାଲିଗରଡ଼ାଟେ
ହେଇ ଯାଇଛି ମେରୁ
ଦାରୁଣ ନିଦାଘ ବି
ଲାଗୁଛି ଫଗୁଣ ଫଗୁଣ
ଆଉ
ବୈଶାଖର ଝାଞ୍ଜି
ମିଠାଳିଆ ଶୀତଳ ପବନ ।
ତୋତେ ପାଇଗଲା ପରେ
ପିଠିରେ ଲାଗିଥିବା ପେଟ
ଲାଗେ ପୂରିଲାପୂରିଲା
ଶୁଖିଲା ତଣ୍ଟିରେ ବି
ଜକେଇ ଆସେ
ଓଦାଳିଆ ମଧୁ-ମାଦକତା
ବଧିର କାନକୁ ବି
ଶୁଭିଯାଏ
ତୋର କଅଁଳିଆ କଥା କେଇପଦ
ମଲାମାଛର ଆଖିକୁ ବି
ଦିଶିଯାଏ ତୋର ରୂପକାନ୍ତି
ଆଉ କିସ ଲୋଡ଼ା
ଏଇ ପତ୍ରଝଡା ବଅସରେ
ଜୀବନର ସପ୍ତମ ଋତୁରେ ।
ମୁଁ ଲଭିଛି ତୋ ଦାନ
ଅଖଣ୍ଡ ପରମ ଶାନ୍ତି
ତୋତେ ପାଇଗଲା ପରେ ।।
ଅକିଞ୍ଚନ ଅନିକେତ ବୃନ୍ଦାବନ ଦାଶ
ଓ୍ବାର୍ଡ଼ ନମ୍ବର : ୯,
ବାରୁଣୀ ରୋଡ଼
ବାରିପଦା-୧
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇