ଜଳବାୟୁ ପରିସ୍ଥିତି, ଏକାଡେମିକ କ୍ୟାଲେଣ୍ଡର, ବୋର୍ଡ ପରୀକ୍ଷା, ପ୍ରମୁଖ ପର୍ବପର୍ବାଣୀ, ରାଜ୍ୟରେ ପ୍ରଚଳିତ ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଉପଲବ୍ଧତା, ଯାତାୟତ ପାଇଁ ଆବଶ୍ୟକ ସମୟ, ପରିବହନ ଏବଂ ଠିକ୍ ସମୟରେ ଫୋର୍ସ ମୁତୟନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବାସ୍ତବତାର ଗଭୀର ଆକଳନ ଇତ୍ୟାଦି ସମସ୍ତ ପ୍ରାସଙ୍ଗିକ ଦିଗକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ତେଲଙ୍ଗାନା ରାଜ୍ୟରେ ବିଧାନସଭା ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ସେହି କ୍ରମରେ ଛତିଶଗଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। କଂଗ୍ରେସ ଶାସିତ ଏହି ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି। ଏହି କ୍ରମରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ନଭେମ୍ବର ୭ ଓ ୧୭ ତାରିଖରେ ନିର୍ବାଚନ ହେବ। ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ତୀଵ୍ର ହୋଇଛି। ସେପଟେ ରାଜ୍ୟରେ ନିର୍ବାଚନକୁ ନେଇ ନାନା ପ୍ରକାର ଗଣିତ କଷା ଆରମ୍ଭ ହୋଇଛି। ଦେଶର ଧାନ ପେଡି ଭାବେ ଜଣାଶୁଣା ଛତିଶଗଡ଼ ରାଜନୀତିକୁ ଧାନ ଗଭୀର ଭାବେ ପ୍ରଭାବିତ କରେ। ତେଣୁ ଛତିଶଗଡ଼ ରାଜ୍ୟ ଗଠିତ ହେବା ପରେ ସମସ୍ତ ନିର୍ବାଚନରେ କୃଷକ ଓ ଧାନ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛନ୍ତି। ଏପରିକି ରାଜ୍ୟରେ ସତ୍ତାର ରାସ୍ତା ଧାନ ହିଁ ଖୋଲେ ବୋଲି କୁହାଯାଏ। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଉଭୟ ଧାନର ବୋନସ ପ୍ରସଙ୍ଗକୁ ନେଇ ସରକାର ଗଢିଥିବା କୁହାଯାଏ। ୨୦୦୩ ନିର୍ବାଚନ ଠାରୁ ଆରମ୍ଭ କରି ୨୦୦୮ ଓ ୨୦୧୩ ନିର୍ବାଚନରେ ବିଜେପି ଧାନ ମୂଲ୍ୟରେ ଅଧିକ ବୋନସ ଘୋଷଣା କରିବା ଯୋଗୁ ଲଗାତର ସରକାରକୁ ଆସିଥିବା ଚର୍ଚ୍ଚା ହୁଏ। ୨୦୧୮ ନିର୍ବାଚନରେ କଂଗ୍ରେସ ନିଜ ଇସ୍ତାହାରରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କାରେ କିଣିବା ସହ କୃଷକଙ୍କ ଋଣ ଛାଡ ପ୍ରତିଶ୍ରୁତି ଦେଇଥିଲା। ବିଜେପି କିନ୍ତୁ ଧାନର ଏମଏସପିକୁ ନେଇ କୌଣସି ଘୋଷଣା କରି ନ ଥିଲା। ଯାହାକି ବିଜେପି ହାରିବାର ଏକ ବଡ଼ କାରଣ ବୋଲି କୁହାଯାଏ। ବର୍ତ୍ତମାନର ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଧାନର ମୂଲ୍ୟ ୩୬୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଛତିଶଗଡ଼ର ୮୦ ପ୍ରତିଶତ ଲୋକେ ଚାଷ ସହିତ ଜଡିତ। ୨୦୧୮ ନିର୍ବାଚନରେ ଜିତି କଂଗ୍ରେସ ଧାନର ସହାୟକ ମୂଲ୍ୟ ୨୫୦୦ ଟଙ୍କା ଦେଇଥିବା ବେଳେ ଏହା ଏବେ ୨୬୫୦ ରେ ପହଂଚିଛି। କଂଗ୍ରେସ ସରକାର ଚାଷୀଙ୍କୁ ୮୫ ହଜାର କୋଟି ଟଙ୍କା ଦେଇସାରିଛି। ରାଜ୍ୟ ଜିଡିପିର ୨୨ ପ୍ରତିଶତ ଭାଗ ଧାନ ନେଉଥିବା ବେଳେ ୪୪ ପ୍ରତିଶତ କୃଷି ଯୋଗ୍ୟ ଜମିରେ ଧାନ ହିଁ ମୁଖ୍ୟ ଫସଲ। ଭୁପେଶ ବଘେଲଙ୍କ ସରକାର ଚଳିତ ବର୍ଷ ପ୍ରତି ଏକର ପିଛା ୨୦ କୁଇଣ୍ଟାଲ ସହ ମୋଟ ୧୨୫ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ ରଖିଛନ୍ତି। ୨୦୨୨-୨୩ ରେ ରାଜ୍ୟରେ ଦୁଇ ଲକ୍ଷ ତିରିଶ ହଜାର ପଞ୍ଜିକୃତ ଚାଷୀ ଅଛନ୍ତି। ରାଜ୍ୟର ୯୦ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୪୭ ଟିରେ କୃଷକ ମତଦାତା ପ୍ରଭାବୀ ଭୂମିକା ଗ୍ରହଣ କରନ୍ତି। ଏପରିକି ଗତ ନିର୍ବାଚନରେ କୃଷକଙ୍କ ପ୍ରଭାବ ଥିବା ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀମାନେ ୩୦ ରୁ ୫୦ ହଜାର ଭୋଟରେ ଜିତିଥିଲେ। ତେଣୁ ଛତିଶଗଡ଼ ନିର୍ବାଚନରେ ଧାନ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ଏଥର କଂଗ୍ରେସ ଏହାକୁ ଆହୁରି ଅଧିକ ଫୋକସ କରୁଛି। ସେପଟେ ଏହି ପ୍ରସଙ୍ଗକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରି ଲଗାତର ତିନୋଟି ଟର୍ମ ଜିତିଥିବା ବିଜେପି ଏଥର ଧାନ ପ୍ରସଙ୍ଗକୁ ନେଇ କିଭଳି ଅସ୍ତ୍ର ପ୍ରୟୋଗ କରୁଛି ତାକୁ ନେଇ ଆଲୋଚନା ଜୋର ଧରିଛି।