ଆଜି ପ୍ରକାଶ ପାଇବ ମେଟ୍ରିକ ଓ +୨ ପରୀକ୍ଷାଫଳ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମେଟ୍ରିକ ଓ +୨ ପରୀକ୍ଷାଫଳ। ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ ରେଜଲ୍ଟ ପ୍ରକାଶିତ ହେବ । ମେଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ମଧ୍ୟ ପ୍ରକାଶ କରାଯିବ । ପରେ ପୂର୍ବାହ୍ନ ୧୧ଟା ୩୦ରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ । bseodisha.ac.in କୁ ଯାଇ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଯେଉଁ ସ୍ଥାନରେ ଇଂଟରନେଟର ସୁବିଧା ନାହିଁ ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମେସେଜ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ଓଆର ୧୦ ସ୍ପେସ୍ ରୋଲ ନଂ ଟାଇପ୍ କରି ୫୬୭୬୭୫୦ ନଂକୁ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଦିନ ୧୨ଟା ୩୦ ପରେ ସ୍କୁଲରୁ ମିଳିବ ଛାତ୍ରଛାତ୍ରୀଙ୍କ ଟାବୁଲେସନ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ୟୁଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଅନଲାଇନରୁ ଛାତ୍ରଛାତ୍ରୀଙ୍କ ଟାବୁଲେସନ ଡାଉନଲୋଡ କରିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ପ୍ରକାଶ କରାଯିବା ଦିନ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜଡ୍ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟା ପରେ ଏହି ଡିଜିଟାଇଜଡ୍ ସାର୍ଟିଫିକେଟ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ପାଇପାରିବେ । ଆଜି ପରୀକ୍ଷାଫଳ ପ୍ରକାଶିତ ହେବା ପରେ ମେ ୨୯ରୁ ଜୁନ ୧୨ ମଧ୍ୟରେ ପୁନଃ ମୁଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ମାଟ୍ରିକ ପାଇଁ ଅନଲାଇନ ଏବଂ ମଧ୍ୟମା, ମୁକ୍ତ ବିଦ୍ୟାଳୟ ପାଇଁ ଅଫଲାଇନରେ ରିଚେକିଂ ପାଇଁ ଆବେଦନ କରିହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି ଅପରାହ୍ନରେ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ କରାଯିବ । ଅପରାହ୍ନ ୩ଟା ସମୟରେ ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀଙ୍କ ଉପସ୍ଥିତିରେ ଫଳ ପ୍ରକାଶିତ କରାଯିବ । ଏହାପରେ ଛାତ୍ରଛାତ୍ରୀ ମାନେ orissaresults.nic.in.  ମାଧ୍ୟମରେ ନିଜ ନିଜର ପରୀକ୍ଷାଫଳ ଜାଣିପାରିବେ । ଏହା ସହିତ ଇ-ସ୍ପେସ ଓ ଡିଜିଲକର ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ମୋଟ ୩ଲକ୍ଷ ୮୬ହଜାର ୨୫୦ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ୩ଲକ୍ଷ ୬୦ହଜାର ୧୯୮ ଜଣ ରେଗୁଲାର ଏବ ୨୬ହଜାର ୫୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । କଳା ବିଭାଗରେ ୨ଲକ୍ଷ ୩୭ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ହଜାର ୮୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମୋଟ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ୧ଲକ୍ଷ ୯୯ହଜାର ୩୬୧ଜଣ ଛାତ୍ର ଓ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ରୀ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.