ପାହାଡ ଉପରେ ଗୁଳିକାଣ୍ଡ: ମାଆ ମୃତ ଝିଅ ଗୁରୁତର

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲପାଟ ଥାନା ଅଧିନ ଗୁଣପୁର ପଞ୍ଚାୟତର ରଣପୁରରେ ଗୁଳିକାଣ୍ଡ ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର। ପୋଲିସର ସୂଚନା ଅନୁଯାୟୀ ଶୁକ୍ରବାର ସଂଧ୍ୟା ୬ ଘଣ୍ଟା ସମୟରେ ଉକ୍ତ ଗ୍ରାମର ବନ ମାଝୀ (୪୫)ଙ୍କ ସ୍ତ୍ରୀ ଜେମାଦେଇ (୩୯) ଏବଂ ୯ ବର୍ଷର ଝିଅ ଦିବ୍ୟା ଉଭୟ ଗାଁ ନିକଟ ପାହାଡ ଉପରେ କରାଯାଇଥିବା ନିଜ ଚାଷକୁ ଦେଖିବା ପାଇଁ ଯାଇଥିବା ବେଳେ ଏଭଳି ଗୁଳିକାଣ୍ଡର ଶିକାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଉଭୟ ମାଆ ଓ ଝିଅକୁ ପ୍ରଥମେ ଭବାନୀପାଟଣା ଏବଂ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ସ୍ଥାନାନ୍ତର ପୁର୍ବରୁ ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଭବାନୀପାଟଣା ଟାଉନ ଥାନାକୁ ସୂଚନା ଦେଇଥିଲେ। ଶନିବାର ସକାଳୁ କର୍ଲପାଟ ପୋଲିସ ସୂଚନା ପାଇ ରଣପୁର ଗାଁକୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବନ ମାଝୀକୁ ଆଣି ଘଟଣା ସମ୍ପର୍କରେ ପଚାରିଥିଲେ। ଅନ୍ୟ ପଟରେ ଗୁରୁତର ଅବସ୍ଥାରେ ଥିବା ମାଆ ଝିଅଙ୍କୁ ନେଇ ପୁଅ ଓ ସମ୍ପର୍କୀୟ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଶନିବାର ମାଆ ଜେମାଦେଇର ମୃତ୍ୟୁ ହୋଇଥିବା ନେଇ ବୁର୍ଲା ଡାକ୍ତରଖାନା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଛି। ରବିବାର କର୍ଲପାଟ ପୋଲିସ ବୁର୍ଲା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସୂଚନା ରହିଛି। ପାହାଡ ଉପରେ କିଏ, କାହିଁକି ଏବଂ କେଉଁ କାରଣରୁ ଏଭଳି ଗୁଳିକାଣ୍ଡ ଘଟାଇଛି ତାହା ଅସ୍ପଷ୍ଟ ରହିଛି।ଅନ୍ୟ ପକ୍ଷରେ ପୋଲିସ ଏହି ଗୁଳିକାଣ୍ଡର କାରଣ ଉପରେ ନଜର ରଖିଥିବା ବେଳେ ଖୁବ୍ ଶୀଘ୍ର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କର୍ଲାପାଟ ପୋଲିସ ପକ୍ଷରୁ ସୂଚନା ମିଳିଛି। କର୍ଲାପାଟ ଥାନା କେଶ୍ ନମ୍ବର ୨୧/୨୪ ରେ ଭାରତୀୟ ପିଙ୍ଗଲ କୋଡ୍ ୩୦୭ ,୨୫/୨୭ ସୁଟର୍ ଆର୍ମ ଆକ୍ଟ ଆଧାରରେ ତଦନ୍ତ ଚଳାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.