ପ୍ରତିବାଦରେ ବିଜେଡିର ଥାନା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ, ସଇଁତଲାରେ ଚାପା ଉତେଜନା
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତ ମଙ୍ଗଳବାର ଦିନ ବିଜେପି ଓ ବିଜେଡି ଗୋଷ୍ଠୀର ଯୁବକମାନେ ମାଡ଼ପିଟ ହୋଇଥିବା ନେଇ ସଇଁତଲା ଅଞ୍ଚଳ ଚାପା ଉତେଜନା ସୃଷ୍ଟି ହୋଇଛି। ଘଟଣାକୁ ନେଇ ଉଭୟ ଗୋଷ୍ଠୀ ତରଫରୁ ଥାନାରେ ପୃଥକ ପୃଥକ ୨ ଗୋଟି ମାମଲା ରୁଜୁ କରି ଉଭୟ ଗୋଷ୍ଠୀକୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି। ଏହାର ପ୍ରତିବାଦରେ ବିଜେଡି ତରଫରୁ ପୋଲିସର ପାତର ଅନ୍ତର ନିତିକୁ ନେଇ ସଇଁତଲା ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଆନ୍ଦୋଳନ ସ୍ଥଳକୁ ପହଂଚି ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୂତ ହୋଇଛି। ପ୍ରକାଶ ଯେ, ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ବିଜେଡି କର୍ମୀ ମହେନ୍ଦ୍ର ଭୋଇ ଓ ତାଙ୍କ ସମର୍ଥଜମାନେ ଫପସି ବଡ଼ମାଳର ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ। ସେହି ସମୟରେ ପୂର୍ଵ ଶତ୍ରୁତା ନେଇ ରମେଶ ବସ୍ତିଆ ଓ ତାଙ୍କ ସମର୍ଥକମାନେ ପହଂଚିଥିଲେ, ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହାପରେ ମାଡ଼ ପିଟ ହୋଇ ଦୁଇ ଗୋଷ୍ଠୀ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ପୋଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦୁଇ ଗୋଷ୍ଠୀଙ୍କୁ କୋର୍ଟ ଚାଲାଣ କରିଥିଲେ। ଅନ୍ୟପଟେ ମହେନ୍ଦ୍ର ଭୋଇ ଏହି ଘଟଣାରେ ୬ ଜଣଙ୍କ ନାମ ଏତଲା ଦେଇଥିଲେ ମଧ୍ୟ ପୋଲିସ ୩ ଜଣକୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ପୋଲିସ କାର୍ଯ୍ୟକଳାପକୁ ଅସନ୍ତୋଷ ପ୍ରକାଶ କରି ସମର୍ଥକମାନଙ୍କ ସହ ମିଶି ସଇଁତଲା ଥାନାକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଲାଙ୍ଗୀର ଏସପି ରଷିକେଶ ଖିଲାରୀ, ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ, ଟିଟିଲାଗଡ଼ ଆଇଆଇସି ଅବନୀ ସାହୁଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଏହି ମାରପିଟ୍ ଘଟଣାକୁ ନେଇ ବର୍ତମାନ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି।




