ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଶ୍ରମିକ। ତେବେ ମୃତ ଶ୍ରମିକଙ୍କ ମର ଶରୀରକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମୃତ ଶ୍ରମିକ ଜଣକ କୋକସରା ଥାନା ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡାର ଲୋକନାଥ ପୋଟା ବୋଲି ଜଣାପଡ଼ିଛି। ସେ ଗତ ମାର୍ଚ୍ଚ ମାସରେ ଗାଁର କିଛି ଲୋକଙ୍କ ସହିତ ସାଥି ହୋଇ କାମ ଅନ୍ବେଷଣରେ ସୁଦୂର ବାଙ୍ଗାଲୋର ଯାଇ ସେଠାରେ ଶ୍ରମିକ ଭାବରେ କାମ କରୁଥିଲେ। ତେବେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାଥିରେ ଥିବା ଶ୍ରମିକ ମାନେ ଗାଁ ଲୋକଙ୍କୁ ଫୋନ୍ କରି ଜଣାଇବା ପରେ ପରିବାର ଲୋକେ ଜାଣି ପାରିଥିଲେ। ଏହି ଖବର ପ୍ରଚାରିତ ହୋବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଶ୍ରମିକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଆଜି ମୃତ ଶ୍ରମିକଙ୍କ ସ୍ତ୍ରୀ ପଦ୍ମିନୀ ପୋଟା କୋକସରା ଥାନାର ଦ୍ବାରସ୍ଥ ହୋଇ ତାଙ୍କ ସ୍ବାମୀଙ୍କ ମର ଶରୀରକୁ ନିଜ ଗାଁକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ତେବେ ଲୋକନାଥଙ୍କ ସହ ଚଳିତ ବର୍ଷ କୋକସରା ବ୍ଲକର ୩ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।




