ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ ହୋଇଯାଇଛି । ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ୱରେ ଏନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ଯୋଗଦାନ କରି ରକ୍ତ ଶିକୁଳି କଣ, ଏହା କେମିତି ଚିହ୍ନଟ କରିବା, ଏହି ରୋଗ କେମିତି ସୃଷ୍ଟି ହୋଇଥାଏ ଏସମସ୍ତ ବିଷୟରେ ଡିଗ୍ରୀ କଲେଜର ଉପସ୍ଥିତ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।

ପ୍ରଥମେ ଅଧ୍ୟକ୍ଷ ନାରାୟଣ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲାର ଆୟୁଷ ଡାକ୍ତର ଡ. ସଞ୍ଜୟ ନାଏକ ଓ ଡ. ଜ୍ୟୋତିସ୍ମୀତା ମହାନ୍ତି ଯୋଗଦାନ କରିଥିଲେ । ରକ୍ତ ଶିକୁଳି ରୋଗର ସଚେତନତା ଉପରେ ଅତିଥର ଗଣଙ୍କ ମାର୍ଗଦର୍ଶନ ପରେ ଉପସ୍ଥିତ ରହିଥିବା ତିନିଜଣ ଟେକ୍ନିସିଆନ ଉପସ୍ଥିତ ୧୨୦ ଛାତ୍ରଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ । ଏହି ରକ୍ତ ନମୂନା ଗୁଟିକ ଭୁବନେଶ୍ୱର ଲାବୋରେଟାରୀକୁ ପଠାଯିବ । ଏହା ପରୀକ୍ଷଣ ପରେ ରୋଗର ପଜେଟିଭ ଓ ନେଗେଟିଭ ରିପୋର୍ଟ ଯୁକ୍ତ ସ୍ମାର୍ଟକାର୍ଡ ସବୁ ଛାତ୍ରଛାତ୍ରୀଙ୍କୁ ମିଳିବ । ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ କାମରେ ଲାଗିବ ବୋଲି ମୁଖ୍ୟ ଅତିଥର ଡ.ଗୋଚ୍ଛାୟତ ସୂଚନା ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା କୌଶଲ୍ୟା ଗଡୱା ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡିଗ୍ରୀ କଲେଜର ଶାରୀରିକ ଶିକ୍ଷକ କ୍ଷିତିଶ ବଗର୍ତ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।




