ଗାଡେବନ୍ଧ ଗ୍ରାମ ପଞ୍ଚାୟତ ପାଇଁ ଆଦିସ୍କନ୍ଧ ସମାଜର କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ପତରଫଡି ଠାରେ ପଞ୍ଚାୟତ ସ୍ତରୀୟ ଆଦିସ୍କନ୍ଧ ସମାଜର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ପୂର୍ବତନ ସଭାପତି କୈଳାସଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନର୍ଲା ବ୍ଲକ ଆଦିବାସୀ ସମାଜର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ଆଦିସ୍କନ୍ଧ ସମାଜ ସଭାପତି ଝସକେତନ ମାଝୀ, ଉପସଭାପତି ପୁରନ୍ଦର ମାଝୀ, ଜିଲ୍ଲା ଆଦିସ୍କନ୍ଧ ସମାଜ ସମ୍ପାଦକ ଦେବରାଜ ମାଝୀ, ନର୍ଲା ବ୍ଲକ ଆଦିବାସୀ ସମାଜ ସମ୍ପାଦକ ମାୟାଧର ମାଝୀ, ଛବିରାଜ ମାଝୀ, ବରୁଣ ମାଝୀ, ବିଦୁ ମାଝୀ, ଡିଙ୍ଗର ମାଝୀ, କ୍ଷିତିଶ ମାଝୀ, ରାଜୀବ ମାଝୀ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରଥମେ ଆଦିବାସୀଙ୍କ ଇଷ୍ଟଦେବତାଙ୍କ ଠାରେ ପୂଜାପାଠ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି କୈଳାସ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଦିବାସୀ ସମାଜ ସଭାପତି ହରିଶଙ୍କର ମାଝୀ ସମାଜର ସଦସ୍ୟ ମାନେ ସମାଜ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ଓ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିଭଳି ଆଦିସ୍କନ୍ଧ ସମାଜ ଜିଲ୍ଲା ସମ୍ପାଦକ ଦେବରାଜ ମାଝୀ ଆମର ସମସ୍ତ ସଦସ୍ୟ ଶୃଙ୍ଖଳିତ ରହିବା ଉଚିତ । ସମାଜର ଉନ୍ନତି ଦିଗରେ ସମସ୍ତେ କାର୍ଯ୍ୟ କରିବା ତେବେ ହିଁ ସମାଜ ଆଗେଇ ପାରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହାପରେ ଆଦିସ୍କନ୍ଧ ସମାଜରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା ହୋଇଥିଲା । ଏହାପରେ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ପାଇଁ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ଗତଥର ସଭାପତି ରହିଥିବା କୈଳାସଚନ୍ଦ୍ର ମାଝୀ ସର୍ବସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇଥିଲେ । ସେହିଭଳି ଉପସଭାପତି ଭାବରେ ଡିଙ୍ଗର ମାଝୀ, ସମ୍ପାଦକ ଭାବରେ ଯୁବନେତା ସଞ୍ଜୟ ମାଝୀ, କୋଷାଧ୍ୟକ୍ଷ ଭାବରେ ରାଜୀବ ମାଝୀ ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ବେଳେ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ସଦସ୍ୟ ଚୟନ କରାଯାଇ ୧୫ ଜଣ ସଦସ୍ୟଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବରେ କମିଟିରେ ସ୍ଥାନ ଦିଆଯାଇଥିବା ସୂଚନା ମିଳିଛି । ନବ ନିର୍ବାଚିତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଆଦିସ୍କନ୍ଧ ମାନଙ୍କ ଦେବାଦେବୀ କନ୍ଦେନ ବୁଢି ଓ ଜାଡେନ ବୁଢୀ ଦେବୀଙ୍କ ନିକଟରେ ଶପଥପାଠ କରାଇଥିଲେ ବ୍ଲକ ସ୍ତରୀୟ କର୍ମକର୍ତ୍ତା । ଶେଷରେ ନବ ନିର୍ବାଚିତ ସମ୍ପାଦକ ସଞ୍ଜୟ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.