ଗଜପତି ଜିଲ୍ଲାସ୍ତରୀୟ ୬୫ତମ ପୋଲିସ ସହିଦ ସ୍ମୃତି ଦିବସ-୨୦୨୪ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ଆର୍ମଡ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୫ ତମ “ପୋଲିସ ସହିଦ ସ୍ମୃତି ଦିବସ-୨୦୨୪” ପ୍ୟାରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ତ୍ତବ୍ୟ ସମୟରେ ଯେଉଁ ପୋଲିସ ଭାଇ ମାନେ ଉଗ୍ରବାଦୀ ଓ ମାଓବାଦୀ ମାନଙ୍କ ଶିକାର ହୋଇ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାତୃକା ପାଇଁ ପ୍ରାଣବଳିି ଦେଇଥାନ୍ତି , ପ୍ରତିବର୍ଷ ଆଜିର ଦିନରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇ ଆସୁଅଛି ।

Omkar Vasthu
Omkar Vasthu

ଆମ ପୋଲିସ କର୍ମଚାରୀ ମାନେ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପଦ ଆପଦ ହେଉ କିମ୍ବା ଉଗ୍ରବାଦୀ କି ମାଓବାଦୀ କାର୍ଯ୍ୟକଳାପ ହେଉ, ସବୁଥିରେ ତାର ଉଚିତ୍ ମୁକାବିଲା କରିବା ପାଇଁ ଯଥେଷ୍ଟ ସମର୍ଥ ଅଛନ୍ତି ବୋଲି କହି ସବୁବେଳେ ନିରବଚ୍ଛିନ୍ନ ଓ ନିର୍ଭୀକ ଭାବେ ସେବା ପ୍ରଦାନ କରିବା ସହ ଜନସାଧାରଣଙ୍କ ସମସ୍ତ ଆଶା ପୁରଣ କରିବା ଦିଗରେ ଆସ୍ଥାଭାଜନ ହେବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଆହ୍ବାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ କର୍ତ୍ତବ୍ୟ ସମୟରେ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ବୀରଗତି ପ୍ରାପ୍ତ ହୋଇ ସହିଦ ହୋଇଥିବା ୨୧୬ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନାମ ପାଠ କରିବା ସହ ପୋଲିସ ସହୀଦ ସ୍ମୃତିସ୍ତମ୍ଭ ଠାରେ ସେମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିଭଳି ଉପସ୍ଥିତ ପୋଲିସ ଅଧିକାରୀ ମାନେ ମଧ୍ୟ ସହିଦ ସ୍ମୃତିସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ବେଳେ ପ୍ୟାରେଡ଼ ଦଳର ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ନିଜର ସଶସ୍ତ୍ର ସହ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ଅବସରରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ତଥା ସେମାନଙ୍କ ପତ୍ନୀଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶେଷରେ ପୋଲିସ ଝଣ୍ଡାକୁ ସଶସ୍ତ୍ର ସଲାମୀ ସେଲ୍ୟୁଟ ଜଣାଇବା ପରେ କାର୍ଯ୍ୟକ୍ରମର ସମାପନ ପ୍ୟାରେଡ଼ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ:ପି: ଶ୍ରୀ ସୁନିଲ କାନ୍ତ ମହାନ୍ତି ଓ ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକଙ୍କ ସମେତ ବହୁ ପୋଲିସ ଅଧିକାରୀ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବହୁ ସଂଖ୍ୟାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ୟାରେଡ଼ କାର୍ଯ୍ୟକ୍ରମକୁ ପୋଲିସ ଆର:ଆଇ: ତଥା ପ୍ୟାରେଡ଼ କମାଣ୍ଡର ଶ୍ରୀ ନିରଞ୍ଜନ ନାୟକ ଏବଂ ସରଜେଣ୍ଟ ତଥା ସେକେଣ୍ଡ ପ୍ୟାରେଡ଼ କମାଣ୍ଡର ଶ୍ରୀ ଖୁସିରାମ ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.