ପିଏମ ଯୁବା ମେଣ୍ଟରସିପ୍ ୩.୦-୨୦୨୫ ପାଇଁ ମନୋନୀତ ହେଲେ ପଲ୍ଲବୀ ରାଉତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନ୍ୟାସନାଲ ବୁକ୍ସ ଟ୍ରଷ୍ଟ ନୂଆଦିଲ୍ଲୀଦ୍ଵାରା ପ୍ରାୟୋଜିତ ପି.ଏମ୍. ଯୁବା
୩.୦,୨୦୨୫ ବର୍ଷ ପାଇଁ ଇଂରାଜୀ ସାହିତ୍ୟରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ସନ୍ୟାସୀକୁଣ୍ଡାମାଳ ଗ୍ରାମର ଯୁବ ଲେଖିକା ପଲ୍ଲବୀ ରାଉତ ମନୋନୀତ ହୋଇଛନ୍ତି। ସେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ (ଜେଏନୟୁ), ନୂଆଦିଲ୍ଲୀରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ପୂର୍ବରୁ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣାରୁ ଇଂରାଜୀ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପଲ୍ଲବୀ ରାଉତ ସିପିଇଟି,୨୦୨୨ ଇଂରାଜୀ ବିଭାଗରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସେ ୟୁଜିସି ନେଟ୍-ଜେଆରଏଫ ଡିସେମ୍ବର ୨୦୨୪ ଏବଂ ଜିଇଟି ୨୦୨୫ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପଲ୍ଲବୀ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ପାଦନରେ ଇଂରାଜୀ ସାହିତ୍ୟ, ଲୋକସାହିତ୍ୟ ତଥା ଲୋକସଂକୃତିରେ ସନ୍ଦର୍ଭ ପାଠ କରି ବହୁ ପ୍ରଶଂସିତ ହୋଇଛନ୍ତି। କବୟତ୍ରୀ, ଗବେଷିକା ଡ. ଯାଜ୍ଞସେନୀ ପ୍ରଧାନୀ ଓ ଶ୍ରୀ ମକରଧ୍ବଜ ରାଉତଙ୍କ ସୁପୁତ୍ରୀ ପଲ୍ଲବୀଙ୍କ ପରିବାର ବର୍ତ୍ତମାନ ନକଟିଗୁଡା, ଭବାନୀପାଟଣାରେ ବସବାସ କରୁଛନ୍ତି। ସେ ଶିକ୍ଷାବିତ୍ ମୀନକେତନ ପ୍ରଧାନୀ ଓ ନୃପତୀଦେବୀ ପ୍ରଧାନୀ (ପାଣିଗା, କୋକସରା) ଏବଂ ସ୍ଵର୍ଗତ ରାଜପ୍ରସାଦ ରାଉତ ଓ ସିନ୍ଧୁଦେବୀଙ୍କ ନାତୁଣୀ ଅଟନ୍ତି। ତାଙ୍କର ଏହି ସଫଳତାରେ କଳାହାଣ୍ଡିର ଯୁବ ଲେଖକ ଲେଖିକା ତଥା ପ୍ରଶଂସକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.