ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ଗଣିତ ଓ ଏଆଇ ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ, ଗଣିତ ଓ ଏଆଇ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷା ଡା. ମାନବୀନ କୌରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଥମେ ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା। ପରେ ଅତିଥି ମାନେ ପ୍ରଦର୍ଶନୀ ବୁଲିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ବେଳେ ଛାତ୍ରଛାତ୍ରୀ ମାନେ ପ୍ରକଳ୍ପର କାର୍ଯ୍ୟ ବୁଝାଇଥିଲେ। ଏହି ପ୍ରଦର୍ଶନୀରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ଏହି ପ୍ରଦର୍ଶନୀରେ ଗଣିତରେ ୬୫ ଟି ପ୍ରକଳ୍ପ, ବିଜ୍ଞାନରେ ୪୮ଗୋଟି ପ୍ରକଳ୍ପ ଏବଂ ଏଆଇ ରେ ୧୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟର ୨୫୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ବିଚାରକ ମଣ୍ଡଳୀ ଆସି ପ୍ରଦର୍ଶନୀରେ ପ୍ରକଳ୍ପ ଗୁଡିକ ବୁଲିଦେଖିବା ସହ ମୂଲ୍ୟାୟନ କରିଥିଲେ। ବିଚାରକ ମଣ୍ଡଳୀ ଭାବେ ନର୍ଲାରୋଡ ଜୟଦୁର୍ଗା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ଭବାନୀପାଟଣା ପୋଲିସ ଉଚ୍ଚବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାୟିତ୍ୱଥିବା ଶିକ୍ଷକ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ, କଳାହାଣ୍ଡି ପଞ୍ଚଶଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ନନ୍ଦ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ନିଶାଙ୍କ ସମେତ ଭବାନୀପାଟଣା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟାପକ ଡା. ଅଶୋକ କୁମାର ଭୋଇ ପ୍ରମୁଖ ପ୍ରକଳ୍ପ ଏଥିରେ ମୂଲ୍ୟାୟନ କରିଥିଲେ। ଏହି ପ୍ରଦର୍ଶନୀ ଦେଖିବାପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ବହୁ ସଂଖ୍ୟାରେ ଯୋଗ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.