ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ।ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉଦ୍ୟମ କ୍ରମେ ଟେମରା ପଞ୍ଚାୟତ ସିର୍ଲିଗୁଡା ଗୌନ୍ତିଆ ପଡ଼ାରେ ପାନୀୟ ଜଳ ସମସ୍ୟା ଦୂର ହୋଇଛି।
ସୂଚନା ଅନୁସାରେ ସିର୍ଲିଗୁଡା ଗୋନ୍ତିଆ ପଡ଼ା, ସ୍କୁଲପଡାବାସୀ ଦୀର୍ଘ ବର୍ଷରୁ ପାନୀୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଠାରେ ନଳକୂପ ଖନନ ସଫଳ ହେଉନ ଥିଲା। ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ପ୍ରଶାସନ ପଠଉଥିବା ପାଣି ଉପରେ ନିର୍ଭର କରୁଥିଲେ ଯାହାକି ସମସ୍ତେ ସଠିକ ଓ ଆବଶ୍ୟକ ମୁତାବକ ପାଣି ପାଇପାରୁନଥିଲେ, ତାହା ପୁଣି ଦିନେ ହେଲେ ଦିନେ ନାହିଁ। ପରେ ବ୍ଲକ ଉପାଧ୍ୟକ୍ଷ ତିନୋଟି ନଳକୂପ ଖନନ ପାଇଁ ଚେଷ୍ଟା କରିଥିଲେ ହେଲେ ସକ୍ଷମ ନ ହେବାରୁ ଏକ ଗଭୀର ନଳକୂପ ଖୋଲି ପାଇପ ଯୋଗେ ପାଣି ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇ ପାଇପ ଯୋଗେ ପାନୀୟଜଳର ବ୍ୟବସ୍ଥା କରି ତିନୋଟି ଷ୍ଟାଣ୍ଡ ପୋଷ୍ଟ କରି ଲୋକଙ୍କୁ ସୁବିଧା କରେଇଛନ୍ତି।

ଏବେ ଏହି ପଡାରେ ଆବଶ୍ୟକ ମୁତାବକ ପାନୀୟ ଜଳ ସୁବିଧା ହେଇଥିବାରୁ ଗ୍ରାମର ଶ୍ୟାମସୁନ୍ଦର ନାଏକ, ଝଗଡେ ନାଏକ, ଗଜିନ୍ଦ୍ର ନାଏକ, ପ୍ରେମଲାଲ ନାଏକ, ବିକ୍ରମ ନାଏକ, ଗୁପ୍ତେଶ୍ୱର ବାଗ, ବଳ ହାତୀ, ଖେତୁରାମ କାଣ୍ଡ,ଲାବାନ୍ୟ କାଣ୍ଡ, ଫକୀର ଗୋପାଳ ପ୍ରମୁଖ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମ୍ବାଦ ପରିବେଷଣ ସଂସ୍ଥା, ସାମ୍ବାଦିକ ବନ୍ଧୁ ଓ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣେଇଛନ୍ତି।





