ନର୍ଲାରେ ଆରମ୍ଭ ହେଇନି ଧାନ ମଣ୍ଡି, ଚିନ୍ତାରେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ଅଦ୍ୟାବଧି ଆରମ୍ଭ ହୋଇନି ଧାନ ମଣ୍ଡି। ଡିସେମ୍ବର ପହିଲାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବିଗତ ବର୍ଷ ମାନଙ୍କରେ ନଭେମ୍ବର ମଧ୍ୟ ଭାଗରୁ ଆରମ୍ଭ ହୋଇଥିଲା ଧାନମଣ୍ଡି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ୪୦ ପ୍ରତିଶତ ଚାଷୀ ପାଚିଲା ଧାନ ଅମଳ କରି ବିଲରୁ ଘରକୁ ନେଇ ଆସିଥିବା ବେଳେ ଗାଁ ଦାଣ୍ଡରେ, କଂକ୍ରୀଟ ରାସ୍ତା ଉପରେ ପାଲ ବିଛେଇ ଏହାକୁ ଭଲ ଭାବରେ ସୁଖାଇ ଅଖା ଗୁଡିକରେ ଭରି ବିକ୍ରୟ ପାଇଁ ପ୍ରସ୍ତୁତ କରି ସାରିଛନ୍ତି। ହେଲେ ଏତେ ପରିମାଣର ଧାନ ରଖିବା ପାଇଁ ଘରେ ଜାଗା ନାହିଁ। ଅନ୍ୟପଟେ ଘରେ ସାଇତି ରଖିଥିବା ଧାନକୁ ମୂଷା ଖାଇବା ଆରମ୍ଭ କଲେଣି। କେତେକ ଚାଷୀଙ୍କ ଧାନ ଭଲ ଭାବରେ ସୁଖି ପାରି ନଥିବାରୁ ଗାଁ ଦାଣ୍ଡରେ ଅଦ୍ୟାବଧି ସୁଖେଇବା କାମରେ ଲାଗି ପଡିଛି। ଆଉ ଗୋଟିଏ ସପ୍ତାହ ମଧ୍ୟରେ ୮୦ ପ୍ରତିଶତ ଧାନ ଅମଳ କାମ ସରିଯିବ। ଏପଟେ ଧାନ ମଣ୍ଡି ଆରମ୍ଭ କରି ନାହାନ୍ତି ସରକାର। ଆସନ୍ତା ଡିସେମ୍ବର ମାସ ପହିଲାରୁ ନର୍ଲାର ୨୧ ଗୋଟି ମଣ୍ଡି ଓ ଉପମଣ୍ଡି ଗୁଡିକ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥର ନୂଆ ସରକାର। କେନ୍ଦ୍ରରେ ଓ ରାଜ୍ୟରେ ଉଭୟ ବିଜେପି ସରକାର ଶାସନ ଗାଦିରେ ବସିଛନ୍ତି। ଆଗରୁ ଘୋଷଣା କରିଥିବା ଧାନ ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରିବେ ସରକାର। କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ୮୦୦ ଟଙ୍କା ପ୍ରଦାନ କରିବେ। ସର୍ବ ମୋଟରେ ଚାଷୀ ଏକ କ୍ୱିଣ୍ଟାଲ ଧାନ ବିକି ୩୧୦୦ ଟଙ୍କା ପାଇବ। ଏଥିପାଇଁ ଚାଷୀ ବେଶ ଉତ୍ସାହିତ ରହିଛି। ଅଞ୍ଚଳର ଚାଷୀ କହୁଛନ୍ତି ଯା ହଉ କଥାଦେଇ କଥା ରଖିଲେ ବିଜେପି ମୋହନ ସରକାର। ଚାଷୀର ଦୁଃଖ ବୁଝି ପାରିଲେ। ପୂର୍ବ ଘୋଷଣା ମୁତାବକ ଧାନ ଦର ବଢାଇଲେ। ଏପଟେ ପାଣିପାଗ ବିଭାଗର ଆଗକୁ ଲଘୁଚାପ ଆସୁଥିବା ସୂଚନା ପାଇ ଚାଷୀ ମୁଣ୍ଡରେ ଚଡକ ପଶିଲାଣି। ଯଦି ବର୍ଷା ହୁଏ ତା’ହେଲେ ଗାଁ ଦାଣ୍ଡରେ ସୁଖେଇଥିବା ଚୁନା ଧାନ ଓ ବିଲରେ ରହିଥିବା ପାକଳ ଧାନ ସବୁ ନଷ୍ଟ ହୋଇଯିବାର ଅନେକ ସମ୍ଭାବନା ରହିଛି। କଣ କରିବ ଭାବି ପାରୁନି ଚାଷୀ। ଧାନ ମଣ୍ଡି ଖୋଲିବା ବିଷୟ ନେଇ ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତିଙ୍କ ମତାମତ ନେବାରୁ ସେ କହିଲେ ପ୍ରତିବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଖୋଲୁଛି। ଚଳିତ ବର୍ଷ ମଣ୍ଡି ଖୋଲିବା ନେଇ ଶୁକ୍ରବାର ଭବାନୀପାଟଣାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଧାନକ୍ରୟ କମିଟିର ମିଟିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଯୋଗାଣ ବିଭାଗ, ଆରଏମସି ପ୍ରଭୃତି ବିଭାଗର ଅଧିକାରୀ ବୃନ୍ଦ ସାମିଲ ହୋଇ ଶୃଙ୍ଖଳିତ ବାବରେ କେମିତି ଚାଷୀଙ୍କ ଧାନ କିଣାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିବା ବିଷୟ ମତଵ୍ୟକ୍ତ କରିଥିଲେ। ଚଳିତ ବର୍ଷ ମଣ୍ଡି ଗୁଡିକରେ ପାରିପାର୍ଶ୍ଵିକ ସମସ୍ତ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯିବା ସାଙ୍ଗକୁ ଦଲାଲ ମୁକ୍ତ ଓ କଟନୀ ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିବା କଥା ନର୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି। ହେଲେ ଗତ ବର୍ଷ ନଭେମ୍ବର ମଧ୍ୟ ଭାଗରୁ ନର୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଥିଲା। ଚଳିତ ବର୍ଷ ଧାନ ମଣ୍ଡି ଆରମ୍ଭ ହେବା ନେଇ ବିଳମ୍ବ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ନର୍ଲା ଚାଷୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.