ବର୍ଷା

ଗାୟତ୍ରୀ ଭୋଇ
ବର୍ଷା !
ଆନମନା କରେନି ଆଗପରି
ଆଗପରି ଶିହରଣ ସୃଷ୍ଟି କରେନି ଦେହରେ !
ଆଗପରି ଭିଜିବାକୁ ଡାକେନାହିଁ ହାତଠାରି !
ଏବେର ସଂପର୍କ ଯୋଜନ ଯୋଜନ ଦୂରତାରେ ଗତିକରେ !
ବର୍ଷା ସହ ଭେଟହୁଏନି ଆଉ ଆଗପରି ନିୟମିତ ଚଲାପଥରେ ,
ତା’ ପାଇଁ ଲେଖାଥିବା ପ୍ରତ୍ୟେକ କବିତାର ପଂକ୍ତିରେ ଉନ୍ମାଦନା ଦିଶେନାହିଁ ଆଗପରି ।
ଆଗପରି ଦରକାର ପଡୁନି ଭିଜା ଫ୍ରକରେ ଘରକୁ ଫେରିବାର ଦୃଶ୍ୟ ,କିମ୍ଵା
ପାଣି ଫୋଟକା ଦେଖି କାଗଜ ଡ଼ଙ୍ଗା
କରିବାର କୌତୁହଳ ।
ଯଦି କେବେ ଅଚାନକ
ବର୍ଷା ଦେଖାହୁଏ
ତେବେ ଛତା ଖୋଲାହୁଏ
ଅନତି ଦୂରରୁ , କେତେ
ଗାଳି ଦିଆହୁଏ ଜାଣିଜାଣି ….।
ଆମ ଭିତରେ ଖାଲି ସଂଯମତାର ଭିଡ ଆଉ ଏକ ସୁଦୃଢ ପାଚେରୀ ଚୁପଚାପ ହସୁଥାଏ ।
କେବେକେବେ ବର୍ଷା ଚାଲିଯାଏ
ଝରକା ସେପାଖ ରାସ୍ତା ଦେଇ . ..
ମୁଁ ତାକୁ ଖାଲି ଦୂରରୁ ଦେଖୁଥାଏ ,
ତାର ପୁରୁଣା ସ୍ମୃତି ଭିତରେ
ଓଦା ହେଉଥାଏ ।
କଣ୍ଟାପଡା ,କଟକ