ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶକ୍ତିମୟୀ ଫାଉଣ୍ଡେସନ, ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଓ ବେଦାନ୍ତ ଲାଞ୍ଜିଗଡ ସହାୟତାର ମିଳିତ ଆନୁକୁଲ୍ୟରେ ୫ଟି ସ୍ଥାନରେ ମାସିକ ଧର୍ମ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ବେଦାନ୍ତ ସି.ଏସ୍.ଆର୍ ଟିମ୍, ସଖୀ ପ୍ରକଳ୍ପର ଟିମ୍, ଶକ୍ତିମୟୀ ଫାଉଣ୍ଡେସନ ସଦସ୍ୟା ଓ ପ୍ରକଳ୍ପ ମୁଖ୍ୟ ଇତ୍ୟାଦି ଯୋଗଦାନ କରିଥିଲେ। ଉକ୍ତ କାର୍ଯକ୍ରମ ପ୍ରକଳ୍ପ “ପେହେଲି ଉଡାନ” ତରଫରୁ କେ ରୋଲାକ୍ଷି ଓ ପ୍ରିୟଦର୍ଶିନୀ ହୋତା ଋତୁସ୍ରାବର ମହତ୍ତ୍ଵ, ଋତୁସ୍ରାବ ଦିବସ ପାଳନର ମୁଖ୍ୟ କାରଣ, ପ୍ରଜନନ ସ୍ବାସ୍ଥ୍ୟ ଇତ୍ୟାଦି ସମ୍ବନ୍ଧରେ ବୁଝାଇଥିଲେ। ଋତୁସ୍ରାବ, ପରିଚ୍ଛନ୍ନତା, ଆନେମିଆର ଲକ୍ଷଣ ଓ ନିରାକରଣକୁ ଆଧାରରେ ରଖି ଗୋଟିଏ ଏକକ ଅଭିନୟ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣରେ “ଲାଲ ବିନ୍ଦୁ”, “ଋତୁସ୍ରାବ ଆମର ଗର୍ବ” ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୩୫୦ ଜଣ କିଶୋରୀ ବାଳିକା ଓ ମହିଳା ମାନଙ୍କୁ ସଚେତନ କରାଯାଇଥିଲା। ସମସ୍ତଙ୍କ ଆଗ୍ରହ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ହିତାଧିକାରୀମାନଙ୍କୁ ମାସିକ ଋତୁସ୍ରାବ ଓ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସ୍ବଚ୍ଛତା କିଟ୍ ମଧ ବଣ୍ଟନ କରାଯାଇଥିଲା।