ହାତିବନ୍ଧା ପ୍ରହରୀ ମଣ୍ଡପ ରାସ୍ତା ବିପର୍ଯ୍ୟସ୍ତ: ଅଦିନିଆ ବର୍ଷାରେ କାଦୁଅ ପଚପଚ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶୁଣୁନି ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ ସ୍ଥାନୀୟ ଲୋକେ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ପ୍ରହରୀ ମଣ୍ଡପ ଠାରୁ ମହୁଳପଡା ରାସ୍ତା ଦୀର୍ଘବର୍ଷ ହେଲା ବିପର୍ଯ୍ୟସ୍ତ ହୋଇପଡିଛି। ସାମାନ୍ୟ ଅଦିନିଆ ବର୍ଷାରେ ରାସ୍ତାରେ କାଦୁଅ ପଚପଚ ହୋଇ ଯାତାୟାତରେ ଅସୁବିଧା ଦେଖାଦେଉଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଲୋକେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଦୈନିକ ଶହଶହ ଲୋକ ଉକ୍ତ ରାସ୍ତାଦେଇ ଯାତାୟାତ କରିଥାନ୍ତି। ଉକ୍ତ ରାସ୍ତା ଦେଇ ସ୍କୁଲ, କଲେଜର ଶହଶହ ଛାତ୍ରଛାତ୍ରୀ ଦୈନିକ ଯାତାୟାତ କରୁଛନ୍ତି ତା’ ସହ ସବୁବେଳେ ପାଣି ଜମିରହୁ ଥିବା ବେଳେ ମଶାର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରାସ୍ତାର ଦୁରାବସ୍ଥା ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତା ମରାମତି ନେଇ ବାରମ୍ବାର ପଞ୍ଚାୟତ ତଥା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବା ଲୋକେ ପ୍ରକାଶ କରିଛନ୍ତି। ହେଲେ ରାସ୍ତାର ଅବସ୍ଥା ପ୍ରତି କାହାରି ନଜର ନପଡିବା ଦୁଃଖର ବିଷୟ ଅଟେ। ଗତ ଦୁଇ ଦିନ ତଳେ ହୋଇଥିବା ସାମାନ୍ୟ ଅଦିନିଆ ବର୍ଷାରେ ରାସ୍ତାର ଅବସ୍ଥା ଦୟନୀୟ ହୋଇଛି। ଲୋକେ ବାଧ୍ୟ ହୋଇ କାଦୁଅରେ ଯାତାୟାତ କରିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତା ମରାମତି କରିବା ପାଇଁ ଦାବି କରିବା ସହ ଆସନ୍ତା ବର୍ଷା ୠତୁ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନନେଲେ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.