ତୁଳାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ: ସାନ୍ଧ୍ୟ ଆଳତିରେ ପ୍ରବଳ ଭକ୍ତ ସମାଗମ, ରାତିରେ ଜମୁଛି ରାମଲୀଳା ନାଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ତୁଲାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ାରେ ଗତ ମଇ ୨୫ ରବିବାରଠାରୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଜୁନ୍ ୨ ପୂର୍ଣ୍ଣାହୁତି ସହ ଏହି ଉତ୍ସବ ସମାପନ ହେବ।

ଗତ ୨୩/୫ ରେ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀ ସହଯୋଗୀ କିଶୋର ଚନ୍ଦ୍ର ତ୍ରିପାଠୀ ଓ ମୁଖ୍ୟ କର୍ତ୍ତା ମନମୋହନ ନାୟକଙ୍କ ନେତୃତ୍ୱରେ ପୁରୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଅଣାଯିବା ପରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ୨୫/୫ ଏନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।

ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟିର ସଭାପତି ଅରୁଣ କୁମାର ନାୟକ ଓ ସମ୍ପାଦକ ଗଙ୍ଗାଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ନିର୍ମିତ ହୋଇଛି ପଞ୍ଚ କୁଣ୍ଡୀୟ ଯଜ୍ଞ ମଣ୍ଡପ।

ପାଞ୍ଚ ଗୋଟି ଯଜ୍ଞ କୁଣ୍ଡ ପାଇଁ ପାଞ୍ଚ ଯୋଡ଼ି କର୍ତ୍ତା ଦମ୍ପତି ଘୃତାହୂତି ପ୍ରଦାନ କରି ପୂଜନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମା ପଣ୍ଡିତ ମୁଖ୍ୟ ଆଚାର୍ଯ୍ୟ ଦେବ ପ୍ରସାଦ ଷଢ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣ ପଣ୍ଡିତ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଛନ୍ତି।

ଏଠି ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ପ୍ରଭୃତି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ସମୟରେ ସାନ୍ଧ୍ୟ ଆଳତିରେ ପ୍ରବଳ ଭକ୍ତ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାତିରେ ଅନୁଷ୍ଠିତ ହେଉଥିବା ରାମଲୀଳା ଓ ଲବ କୁଶ ଜନ୍ମ ଆଧ୍ୟାତ୍ମିକ ନାଟକରେ ପ୍ରବଳ ଦର୍ଶକ ସମାଗମ ହେଉଥିବା ଦେଖିବାକୁ ମିଳୁଛି।

ଯଜ୍ଞ ପରିଚାଳନା କମିଟି ସଦସ୍ୟଙ୍କ ସମେତ ତୁଳାପଡ଼ା ଗ୍ରାମର ଯୁବପିଢୀ ଓ ସମସ୍ତ ଜନସାଧାରଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସହଯୋଗ କରୁଥିବା ଜଣାପଡିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ମଧ୍ୟରେ ୨୯/୫ ଗୁରୁବାରରୁ ଆରମ୍ଭ ହୋଇଯିବ ୩୨ ପ୍ରହର ନାମଯଜ୍ଞ। ଏଥିରେ ପୁଣି ଦୁଇଯୋଡ଼ି କର୍ତ୍ତା ଦମ୍ପତି ନିୟୋଜିତ ହୋଇଛନ୍ତି। ଆସନ୍ତା ଜୁନ ୨ ରେ ଏହି ଯଜ୍ଞର ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.