ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଓ ‘ସ୍ରଷ୍ଟା ନାଟ୍ୟାନୁଷ୍ଠାନ’ର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କର ନାଟକ ଗ୍ରନ୍ଥ ‘ଦେଖଇ ନେତ୍ର ଯାହା’ ଓ ‘ଏକାଧିକ ଏକାଙ୍କିକା’ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଉନ୍ମୋଚିତ ହୋଇଯାଇଛି। ଡାକ୍ତର ନନ୍ଦ ନିଜର ଅଭିନୟ ଜୀବନ ସଂପର୍କରେ ଅନେକ କଥା କହିବା ସଙ୍ଗେସଙ୍ଗେ ହେମେନ୍ଦ୍ର ବାବୁଙ୍କର ନାଟକ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବଳିଷ୍ଠ ବୋଲି ପ୍ରକାଶ କରିଥିଲେ। ଗ୍ରନ୍ଥଦ୍ଵୟକୁ ଉନ୍ମୋଚନ କରି ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ନବୀନ କୁମାର ପରିଡ଼ା ଓଡ଼ିଆ ନାଟ୍ୟ ସାହିତ୍ୟରେ ହେମେନ୍ଦ୍ର ମହାପାତ୍ରଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତ ଦେଇଥିଲେ। ହେମେନ୍ଦ୍ର ମହାପାତ୍ରଙ୍କର ପଚାଶରୁ ଊର୍ଦ୍ଧ ନାଟ୍ୟଗ୍ରନ୍ଥ ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ସୃଷ୍ଟି ହୋଇ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଉନ୍ମୋଚକ ସମାଜସେବୀ ଆଲୋକ ସାହୁ ହେମେନ୍ଦ୍ର ବାବୁଙ୍କୁ ବାଲେଶ୍ଵରର ଗର୍ବ ବୋଲି ଅଭିହିତ କରି ତାଙ୍କର ନାଟ୍ୟଗ୍ରନ୍ଥମାନ ପରବର୍ତ୍ତୀ ପିଢ଼ି ଉପରେ ପ୍ରଭାବ ପକାଇବ ବୋଲି କହିଥିଲେ। ଉନ୍ମୋଚନ କାଳରେ ନାଟ୍ୟକାରଙ୍କ ପତ୍ନୀ ସୁଷମା ମହାପାତ୍ର ମଧ୍ୟ ଉପସ୍ଥିତ ରହି ସ୍ଵାମୀଙ୍କ ପାଇଁ ସେ ନିଜକୁ ଧନ୍ୟ ମନେ କରିବା କଥା ସ୍ଵୀକାର କରିଥିଲେ। ସମୀକ୍ଷକ ଭାବରେ ଯୋଗ ଦେଇଥିବା ନାଟ୍ୟାଲୋଚକ ଡ. ଭାଗବତ ପ୍ରସାଦ ଦାସ ଓ ଗବେଷକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ହେମେନ୍ଦ୍ର ବାବୁଙ୍କର ନାଟକଗୁଡ଼ିକରେ ଥିବା ବିଭିନ୍ନ ବୈଶିଷ୍ଟ୍ୟ ସଂପର୍କରେ ଆଲୋଚନା କରିଥିଲେ। ବିଶେଷ ଭାବରେ ତାଙ୍କର ସଂଳାପରେ ଥିବା ସଂକ୍ଷିପ୍ତତା, ଦର୍ଶକମାନଙ୍କୁ ଆକୃଷ୍ଟ କରିବା ନିମିତ୍ତ ହାସ୍ୟରସର ପ୍ରୟୋଗ, ଲୋକସାହିତ୍ୟର ସଂଯୋଜନା, ବିଭିନ୍ନ କବିତା ମାଧ୍ୟମରେ ନାଟକକୁ ରସସିକ୍ତ କରିବା, ରୂପକାତ୍ମକ ଭାବରେ ବିଭିନ୍ନ ଚରିତ୍ରର ପରିବେଷଣ ତଥା ସାମାଜିକ ପ୍ରତିବଦ୍ଧତା ତାଙ୍କର ନାଟକଗୁଡ଼ିକୁ ଊର୍ଜସ୍ଵଳ କରିଥିବା ବିସୟରେ ବ୍ୟାଖ୍ୟା କରିଥିଲେ। ଲେଖକୀୟ ବକ୍ତବ୍ୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଦୀର୍ଘ ପଚାଶ ବର୍ଷରୁ ଅଧିକ କାଳ ଧରି ରଚନା କରୁଥିବା ତାଙ୍କର ସୃଷ୍ଟି ଓ ସାଧନା ସଂପର୍କରେ ଶ୍ରୋତାମାନଙ୍କୁ ବଖାଣିଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ରାଉତ, ପ୍ରଦୀପ ଚାଟ୍ଟାର୍ଜୀ, ନିବାରଣ ଜେନା, ତପନ ରାୟ, ଅଞ୍ଜଳି ପଣ୍ଡା, ଅରୁଣା ରାୟ, ଦୀପକ ବୋଷ, ଡ. ରମାକାନ୍ତ ନାୟକ, ଡ. ଶିରୀଶଚନ୍ଦ୍ର ଜେନା, ଶରତ କୁମାର ମହାପାତ୍ର, ଡ. ଲକ୍ଷ୍ମଣ ବିଶ୍ଵାଳ, ଗଗନ ଦଳାଇ, ବିଦ୍ୟାଧର ସାହୁ, ରାଜେନ୍ଦ୍ର ରାଉତ, ଲକ୍ଷ୍ମୀକାନ୍ତ ବେହେରା, ଡ. ହେମମାଳା ଦାଶ, ବେଣୁଧର ସାହୁ, ଗୌରୀଶଙ୍କର ସାହାଣୀ, ପ୍ରସନ୍ନ କୁମାର ଦାସ, ଡ. ପ୍ରଦୀପ ଭୌମିକ, ଦେବାଶିଷ ସିଂହ, ଉଦୟ ଶଙ୍କର ପରିଡ଼ା, ଡ. ରତ୍ନାକର ସିଂହ, ମନ୍ମଥ କୁମାର ସାହୁ, ଡ. ସମରବଲ୍ଲଭ ଭୋଇ, କରୁଣାକର ସ, କବିତା ଜେନା, ସୁବ୍ରତା ମହାନ୍ତି, ଦିଲ୍ଲୀପ ଚକ୍ରବର୍ତ୍ତୀ ପ୍ରମୁଖ ବହୁ ସାହିତ୍ୟିକ ଓ ନାଟ୍ୟପ୍ରେମୀ ଉପସ୍ଥିତ ଥିଲେ।





