ମାଁ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ: କଳାହାଣ୍ଡି ମହାରାଜାଙ୍କ ଉପସ୍ଥିତରେ ପାଳିତ ହେଲା ଉତ୍ସବ, ଉତ୍ସାହିତ ଜନତା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା ପର୍ବ ରବିବାର ମହାସମାରୋହରେ ପାଳିତ ହୋଇଛି। କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଉପସ୍ଥିତିରେ ଏହି ପର୍ବ ପାଳିତ ହୋଇଥିଲା। ଶ୍ରଦ୍ଧାଳୁ, ଭକ୍ତମାନେ ମା’ଙ୍କ ଦର୍ଶନ ସିଧାସଳଖ ଭାବେ କରିଥିବାରୁ ସେମାନଙ୍କ ମଧ୍ଯରେ ଉତ୍ସାହ ଦେଖ‌ିବାକୁ ମିଳିଥିଲା। ସନ୍ଧ୍ୟା ୬ଟା ୧୫ରେ ମା’ ଲଙ୍କେଶ୍ବରୀଙ୍କ ମନ୍ଦିରରୁ ସ୍ଥାନୀୟ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡାକୁ ଧରି ନିକଟ୍ ଡାକବଙ୍ଗଳାରେ ତିଆରି ଅସ୍ଥାୟୀ ଝୁପୁଡି କୁଡିଆ ଘରକୁ ନେଇଥିଲେ। ସେହିପରି ବୁଢାରଜା ମନ୍ଦିରରୁ ଶଙ୍ଖୁଆରୀ ଆଉ ଏକ ଖଣ୍ଡା ଧରି ସେଠାକୁ ଆଣିଥିଲେ। ଉପରୋକ୍ତ ଅସ୍ଥାୟୀ ଘରେ ମା’ ଲଙ୍କେଶ୍ୱରୀଙ୍କ ପାଟଖଣ୍ଡା ଓ ବୁଢା ରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣାକାର ବାଳକୃଷ୍ଣ ଆଚାରୀ ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ।ମାର୍ଜନା ପରେ ଲଙ୍କେଶ୍ବରୀ ମନ୍ଦିର ପୂଜକ ମା’ ଙ୍କ ଖଣ୍ଡାକୁ ଧରି ଲଙ୍କେଶ୍ବରୀ ମନ୍ଦିରକୁ ଯାଇଥିଲେ। ସେହିପରି ଶଙ୍ଖୁଆରୀ ମା’ଲଙ୍କେଶ୍ଵରୀଙ୍କ ପାଟଖଣ୍ଡାକୁ ମାର୍ଜନ ପାଇଁ ମଧ୍ଯ ତାଙ୍କ ଖଣ୍ଡାକୁ ନେଇ ବୁଢାରଜା ମନ୍ଦିରକୁ ଯାଇଥିଲେ। ମା’ ଲଙ୍କେଶ୍ବରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାତି ୯ ଟା ୧୫ରେ ମା’ଙ୍କ ପାଟଖଣ୍ଡାକୁ ଚାଉଳ ଉପରେ ବସାଯାଇଥିଲା। କିଛି ସମୟ ପରେ ଏକ ଛୋଟ ପଶୁ (ପାଟଗଡରା) ବଳି ଦିଆଯାଇଥିଲା। ମଧ୍ଯ ରାତ୍ରିରେ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶିମୁଳି ଗଛ ମୂଳରେ ମହାପଶୁ (ପୋଢ) ବଳି ଦିଆଯାଇଥିଲା। ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବା ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୧ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ। ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ଥାନାରୁ ଏସ୍‌ଆଇ ଓ ଏଏସଆଇ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଖଣ୍ଡାବସା ଉପଲକ୍ଷେ ମା’ଙ୍କ ପୀଠ ନିକଟରେ ସ୍ଥାନୀୟ ମେଲୋଡି ଗ୍ରୁପ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଲଙ୍କେଶ୍ବରୀ କ୍ଳବ ପକ୍ଷରୁ ଏକ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅତିଥ୍ ଭାବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଦୁ ମଙ୍ଗରାଜ, ଜୁନାଗଡ଼ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ବର ପୂଝାରୀଙ୍କ ସମେତ କାଉନସିଲରମାନେ ଯୋଗଦେଇଥିଲେ। ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅନେକ କଳାକାର ଯୋଗଦେଇ ନିଜର କଳା ପରିବେଷଣ କରିଥିଲେ। ଯାହାକି ବେଶ ଚିତାକର୍ଷକ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମା’ଲଙ୍କେଶରୀଙ୍କ ପୀଠ। ପରେ କୃତୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଖଣ୍ଡାବସା ପର୍ବରେ ଜିଲା ତଥା ଜିଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.