ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ଗଣ ପର୍ବ ପୌଷ ପୂର୍ଣ୍ଣିମାରେ “ଛେର୍ ଛେରା” ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ଦିନଟି ଚାଷୀକୂଳଙ୍କ ପାଇଁ ନୂଆବର୍ଷର ମାନ୍ୟତା ରଖିଥାଏ। ଚାଷୀ ମାନଙ୍କ ପାଖରେ ବର୍ଷ ତମାମ କାମ କରୁଥିବା ହଳିଆ (ମୂଲିଆ) ବ୍ୟକ୍ତି ମାନଙ୍କର ହିସାବ ନିକାଶ ଓ ଚୁକ୍ତି ଏହି ପୌଷ ପୂର୍ଣ୍ଣିମା ଦିନ ସରି ଯାଇଥାଏ। ଚାଷୀ ମାନଙ୍କ ପାଖରେ ବର୍ଷସାରା କାମ କରୁଥିବା ଶ୍ରମିକ ଗୋଷ୍ଠୀ, ଶ୍ରମଜୀବୀ ମାନେ ପୌଷ ପୂର୍ଣ୍ଣିମା ଦିନ ଛୁଟି କରି ଭୋଜି ମୌଜରେ ମାତିଥାନ୍ତି। ପୁରପଲ୍ଲୀ ସବୁଆଡେ ଉତ୍ସବର ମାହୋଲ ସାଙ୍ଗକୁ ଭୋଜିର ଆସର ଜମିଥାଏ। ଏହି ଦିନର ଆଉ ଏକ ନିଆରା ପରମ୍ପରା ହେଉଛି “ଛେର୍ ଛେରା”। ଏହି ପରିପ୍ରେକ୍ଷୀରେ ଶନିବାର ପୌଷ ପୂର୍ଣ୍ଣିମାରେ ନର୍ଲାରେ “ଛେର୍ ଛେରା” ପର୍ବ ବେଶ୍ ସରଗରମ ହୋଇ ଉଠିଥିଲା। ରାସ୍ତାଘାଟ ସବୁ ଚଳଚଞ୍ଚଳ ହୋଇ ଉଠିଥିଲା। ସକାଳୁ ସାନ ସାନ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଜାତି ଧର୍ମ ନିର୍ବିଶେଷରେ ସକାଳୁ ହାତରେ ରଙ୍ଗ ବେରଙ୍ଗର ବାଡି ଖଣ୍ଡିଏ ଲେଖାଏଁ ଧରି ଦଳ ଦଳ ହୋଇ ଗାଁ ଦାଣ୍ଡରେ ଘର ଘର ବୁଲି ଘର ପିଣ୍ଡାରେ ବାଡି ଠୁକେଇ “ଛେର୍ ଛେରା” ମାଗି ବୁଲିଥିଲେ। ଛେର୍ ଛେରା ମାଗିବା ବେଳେ ଏହି କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରାକୁ ଧରି ବିଭିନ୍ନ ଲୋକଗୀତ ଛେର୍ ଛେର୍ ଛେରା…, ଇ ଘର ବୁଢୀ କାଇଁ ଗଲା…?, ଭଳି ଢଗ, ଢମାଳି ପୂର୍ଣ୍ଣ ବ୍ୟଙ୍ଗାତ୍ମକ ଗୀତ ଗାଇ ଧାନ, ଚାଉଳ, ପଇସା ମାଗିଥିଲେ। ନିଜ ନିଜ ଘର ସମ୍ମୁଖରେ ଆଗରୁ ଅପେକ୍ଷାରତ ମାଆ, ଭଉଣୀ ମାନେ ଏହି ଛେର୍ ଛେରା ମଗାଳୀ ମାନଙ୍କୁ ଶ୍ରଦ୍ଧାର ସହିତ ଧାନ, ଚାଉଳ, ଟଙ୍କା, ପିଠାପଣା ପ୍ରଭୃତି ପ୍ରଦାନ କରିଥାନ୍ତି। “ଛେର୍ ଛେରା” ମାଗି ଆଦାୟ ହୋଇଥିବା ଧାନ ଚାଉଳକୁ ନେଇ ଭୋଜି କରିବା ପାଇଁ ଜଙ୍ଗଲକୁ ଚାଲି ଯାଇଥାନ୍ତି ଛେର୍ ଛେରା ମଗାଳି ଦଳ। ଏଇ ଦିନ ସମସ୍ତଙ୍କ ଘରେ ପୁଷ୍ପୁନୀ ମଣ୍ଡାପିଠା ନିଶ୍ଚୟ ପ୍ରସ୍ତୁତ ହୋଇଥାଏ। ବାସ୍ତବିକ ପୌଷ ପୂର୍ଣ୍ଣିମାରେ ଏକ ନିଆରା ପରମ୍ପରା ଅଟେ ଏଇ “ଛେର୍ ଛେରା”। ଆଉ ଛେର୍ ଛେରା ମାଗିବା ବେଳେ ଅନେକ ଢଗ ଢମାଳି ଓ ଛେର ଛେରାର ସ୍ୱତନ୍ତ୍ର ଗୀତ ଗାଇ ସମସ୍ତଙ୍କ ଦ୍ୱାରକୁ ଯାଇ ମାଗି ବିଲିଥାନ୍ତି ପିଲାରୁ ବୁଢା ସମସ୍ତେ। ସମସ୍ତେ ଏଇ ପର୍ବରେ ସାମିଲ ହୋଇ ଏହି ଛେର୍ ଛେରା ପର୍ବର ମଜା ଉଠାଇ ମନଭରି ଉପଭୋଗ କରିଥାନ୍ତି। ଭାଇଚାରାର ପରମ୍ପରା ଅଟେ ଏଇ “ଛେର୍ ଛେରା” ପର୍ବ। ହେଲେ ଆମୋଦ ପ୍ରମୋଦରୁ ସମୟ କ୍ରମେ “ମଦ” ଏହି ପର୍ବ ଓ ନିଆରା ପରମ୍ପରାକୁ କବଳିତ କରି ନେଇଥିବାରୁ ଅନେକ ଲୋକ ମଦପିଇ ମାର ପିଟ, ଝଗଡା, ଗଣ୍ଡଗୋଳ ଭଳି ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ସପ୍ତାହ ବ୍ୟାପୀ ଥାନା ଆଖପାଖରେ ଚକ୍କର କାଟୁଥିବା ଦୃଶ୍ୟମାନ ହୋଇଥାଏ। ଧିରେ ଧିରେ ଏହି ନିଆରା ପରମ୍ପରା “ଛେରଛେରା” ପ୍ରତି ଲୋକ ଆକର୍ଷଣ କମିବାରେ ଲାଗିଛି । ଆଉ ଧିରେ ଧିରେ ହଜି ଯିବାକୁ ବସିଲାଣି ଛେର ଛେରା ପର୍ବ। ଆଗଭଳି ଆଉ ବହୁ ସଂଖ୍ୟାରେ ପିଲାମାନେ “ଛେର ଛେରା” ପର୍ବରେ ମାଗି ବୁଲୁଥିବା ଦେଖିବାକୁ ମିଳୁନି।





