ପ୍ରଭୁ ଶ୍ରୀରାମଙ୍କ ରାବଣ ନିଧନ ଓ ରାବଣପୁରୀରୁ ମାଆ ଜାନକୀଙ୍କ ଉଦ୍ଧାର ଲୀଳା ସରିଗଲା l ପ୍ରଭୁ ଭକ୍ତ ବିଭୀଷଣଙ୍କୁ କହିଲେ, ଚୋଉଦ ବର୍ଷ ହେଲା ଭାଇ ଭରତ ବହୁ ଦୁଃଖ ସହି ଅଯୋଧ୍ୟାକୁ ଶାସନ କରୁଛନ୍ତି l ତାଙ୍କୁ ଦେଖିବାକୁ ମୋ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଛି l ଏଣୁ ତୁମେ ଶୀଘ୍ର ମୋର ଅଯୋଧ୍ୟା ଫେରିଯିବାର ବ୍ୟବସ୍ଥା କର l ରାବଣର ପୁଷ୍ପକ ବିମାନଟି ଆଣି ବିଭୀଷଣ ବହୁ ଅଳଙ୍କାର ଓ ସୁନ୍ଦର ପୁଷ୍ପରେ ସଜ୍ଜିତ କରି ଦେଲେ l ପୁଷ୍ପକ ବିମାନରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ବସିଲେ l ଅଯୋଧ୍ୟା ଯିବାକୁ ଆଗ୍ରହ ପ୍ରକାଶ କରିବାରୁ ତାଙ୍କ ସହିତ ବସିଲେ ବିଭୀଷଣ,ସୁଗ୍ରୀବ, ହନୁମାନ ଓ ବାନର ବୀରଗଣ l ବିମାନ ଅଯୋଧ୍ୟା ଅଭିମୁଖେ ଉଡ଼ାଣ ଆରମ୍ଭ କଲା l
ଉଡ଼ାଣ ପଥରେ, ଶ୍ରୀରାମ ଜାନକୀଙ୍କୁ ସେତୁବନ୍ଧ, କିଷ୍କିନ୍ଧ୍ୟା, ପମ୍ପାସର, ପୂତ ସଲୀଳା ଗୋଦାବରୀ, ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମ ଇତ୍ୟାଦି ଦେଖାଇ ସେ ସ୍ଥାନରେ ଅତୀତରେ ଘଟି ଯାଇଥିବା ଘଟଣାବଳୀ ବର୍ଣ୍ଣନା କରିକରି ଚାଲିଥାନ୍ତି l ସୀତା ବାନରପତ୍ନୀ ମାନଙ୍କୁ ସାଙ୍ଗରେ ନେବାକୁ ଇଚ୍ଛା କରନ୍ତେ ବିମାନ କିଷ୍କିନ୍ଧ୍ୟାର ଅବତରଣ କରି ସେମାନଙ୍କୁ ସାଥିରେ ଘେନି ପୁନଃ ଉଡ଼ାଣ ଆରମ୍ଭ କଲା l କିଛି ସମୟ ଉଡ଼ାଣପରେ ସେମାନେ ଆସି ଚିତ୍ରକୂଟ ପାଖରେ ପହଞ୍ଚିଯିବାରୁ ମନୋରମ ଅଯୋଧ୍ୟା ନଗରୀ ତଥା ପୂତନୀରା ସରଜୁ ନଦୀ ଦୃଶ୍ୟମାନ ହେଲା l ପ୍ରଭୁ ସୀତାଙ୍କୁ କହିଲେ ଆମେ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିବା l ସେଠାରେ ସେ ମାଆ ସୀତାଙ୍କୁ ପୁଣ୍ୟ ଭରତଙ୍କ ଚରିତ ଶୁଣାଇଲେ l ପ୍ରଭୁ ହନୁମାନଙ୍କୁ ଡାକି କହିଲେ,”ତୁମେ ଆଗେ ଅଯୋଧ୍ୟାକୁ ଯାତ୍ରା କରି ଯାଇ ଭରତଙ୍କୁ ମୋର କୁଶଳବାର୍ତ୍ତା ଜଣାଇ ଦିଅ l ହନୁମାନ ଆଜ୍ଞା ପାଇ, ଯାଇ ନନ୍ଦିଗ୍ରାମରେ ପହଞ୍ଚିଲେ l ଭରତଙ୍କୁ ସୁସମାଚାର ଜଣାଇ ଦେଇ କହିଲେ,ଆପଣଙ୍କ ଦୁଃଖର ଦିନ ଶେଷହୋଇଛି l ପ୍ରଭୁ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ସହିତ ଫେରି ଆସିଛନ୍ତି l ଏବେ, ଚିତ୍ରକୁଟରେ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି l ହନୁମାନ ପ୍ରଭୁଙ୍କ ଚଉଦ ବର୍ଷ ବନ ବାସ କାହାଣୀ ଭରତଙ୍କୁ ବିସ୍ତୃତ ଭାବେ ବର୍ଣ୍ଣନାକରି କହିଲେ,ଆସନ୍ତା କାଲି ପୁଷ୍ୟା ନକ୍ଷତ୍ରରେ ପ୍ରଭୁ ଏଠାକୁ ଫେରି ଆସିବେ l ଭରତ କୃତାଞ୍ଜଳୀ ପୁଟ ହୋଇ ହନୁମାନଙ୍କୁ ପ୍ରଣାମ କରି କହିଲେ, ବହୁ ପ୍ରତୀକ୍ଷା ପରେ, ମୋର ମନୋରଥ ଆଜି ପୂର୍ଣ୍ଣ ହୋଇଛି l
ଭରତ ଅଯୋଧ୍ୟାରେ ଶ୍ରୀରାମଙ୍କ ସମ୍ବର୍ଦ୍ଧନା ପାଇଁ ଶତ୍ରୁଘ୍ନଙ୍କୁ ସମସ୍ତ ଆୟୋଜନ କରିବାକୁ ନିର୍ଦ୍ଧେଶ ଦେଲେ l ରାଜପଥ,ପ୍ରାସାଦ ଓ ମନ୍ଦିର ମାନ ଅତି ସୁନ୍ଦର ଭାବେ ସଜ୍ଜିତ ହେଲା l ପ୍ରଜାମାନେ ହର୍ଷ ଉଲ୍ଲାସରେ ନାଚି ଉଠିଲେ l ବ୍ରାହ୍ମଣ, ଅମାତ୍ୟ ଓ ଆଠ ଜଣ ମନ୍ତ୍ରୀଙ୍କ ସହ ସହସ୍ର ସହସ୍ର ସଂଖ୍ୟକ ଅଯୋଧ୍ୟାର ନାଗରିକ ନନ୍ଦୀଗ୍ରାମରେ ପହଞ୍ଚିଲେ l ଦୁନ୍ଦୁଭି ବାଜି ଉଠିଲା l ବନ୍ଦୀମାଗଧ ମାନଙ୍କ ସ୍ତୁତି ଗାୟନ ସହ ଭରତ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ମସ୍ତକରେ ରଖି ଶ୍ୱେତଛତ୍ର ଓ ଚାମର ଧରି ରାଜ ପ୍ରାସାଦ ଆଡ଼େ ଆଗେଇ ଚାଲିଲେ l ଏହି ସମୟରେ ନୀଳ ଆକାଶରେ ପୁଷ୍ପକ ବିମାନ ଦେଖାଯିବାରୁ ସମସ୍ତେ କୋଳାହଳ କଲେ,’ ରାମ ଆସି ଗଲେ ‘l ବିମାନ ଅବତରଣ କରିବା ମାତ୍ରେ ଭରତ ଯାଇ ଶ୍ରୀରାମଙ୍କୁ ପ୍ରଣାମକଲେ l ସୀତାଙ୍କ ପୟର ବନ୍ଦନା,ଲକ୍ଷ୍ମଣଙ୍କୁ ଅଭିନନ୍ଦନ, ବିଭୀଷଣ, ସୁଗ୍ରୀବ, ଜାମ୍ବବାନ ଏବଂ ଅଙ୍ଗଦାଦିଙ୍କୁ ଆଲିଙ୍ଗନ କଲେ l ଶ୍ରୀରାମ ଭରତଙ୍କୁ ଗାଢ଼ ଆଲିଙ୍ଗନ କରି ଛାତିରେ ଜଡ଼ାଇଧରିଲେ l ଶ୍ରୀରାମ ମାତାମାନଙ୍କୁ ଯାଇ ପ୍ରଣାମ କରି ନାଗରିକ ମାନଙ୍କ ଅଭିବାଦନ ଗ୍ରହଣ କଲେ l ଭରତ ପାଦୁକା ଦୁଇଟିକୁ ଅତ୍ୟନ୍ତ ଶ୍ରଦ୍ଧା ସହକାରେ ରାମଙ୍କୁ ପିନ୍ଧାଇଦେଇ କହିଲେ, ପ୍ରଭୁ, ଆପଣ ମୋତେ ଯେଉଁ ରାଜ୍ୟ ଦେଇଥିଲେ ତାହା ମୁଁ ଆପଣଙ୍କୁ ଫେରାଇ ଦେଉଛି l
ରାମଙ୍କ ଅଭିଷେକପାଇଁ ପ୍ରସ୍ତୁତି ଚାଲିଲା l ରାମଙ୍କ ଜଟା ଏବଂ ଶ୍ମଶ୍ରୁକୁ କ୍ଷୋର କରିବା ପାଇଁ ଶତ୍ରୁଘ୍ନଙ୍କ ଆଦେଶରେ ନାପିତମାନେ ଘେରିଗଲେ l ଜଟା ଓ ଶ୍ମଶ୍ରୁ ମୁକ୍ତ ହୋଇ ରାମ ସ୍ନାନଉପରାନ୍ତେ ଦେହରେ ଚନ୍ଦନ, ଅଗୁରୁ ଆଦି ଅଙ୍ଗରାଗ ମାନ ଘେନିଲେ l ସୁମିତ୍ରା ଏବଂ କୈକେୟୀ ସୀତାଙ୍କୁ ଭୂଷଣକଲେ l ମାତା କୌଶଲ୍ୟା ବାନର ପତ୍ନୀ ମାନଙ୍କୁ ଅଳଙ୍କୃତ କରାଇଲେ l ରାମ ଏକ ସୁନ୍ଦର ରଥରେ ପ୍ରାସାଦ ଅଭିମୁଖେ ଯାଉ ଥାନ୍ତି l ରାସ୍ତାରେ ଶ୍ରୀରାମ ତାଙ୍କ ବନବାସ,ବାନରମାନଙ୍କ ସହଯୋଗ, ସେତୁବନ୍ଧ, ରାବଣ ନିଧନ ଇତ୍ୟାଦି କାହାଣୀମାନ କହି ପ୍ରଜା ମାନଙ୍କୁ ଆନନ୍ଦିତ କରୁଥାନ୍ତି l ପ୍ରଭୁଙ୍କ ଅଭିଷେକ ପାଇଁ ଭରତଙ୍କ ଅନୁରୋଧରେ ସୁଗ୍ରୀବ ଚାରି ସମୁଦ୍ରରୁ ଚାରୋଟି ଜଳ ପୂର୍ଣ୍ଣ ସ୍ବର୍ଣ୍ଣ ଘଟ ଆଣି ପହଞ୍ଚାଇ ଦେଲେ l ପାଞ୍ଚଶହ ନଦୀରୁ ପବିତ୍ରଜଳ ସଂଗ୍ରହହୋଇ ଆସିଲା l ଶତ୍ରୁଘ୍ନ କୂଳ ଗୁରୁ ବଶିଷ୍ଠଙ୍କୁ ରାମଙ୍କ ଅଭିଷେକ ପାଇଁ ନିମନ୍ତ୍ରିତ କଲେ l ବଶିଷ୍ଠ ସୀତା ଓ ରାମଙ୍କୁ ଏକ ରତ୍ନମୟ ବେଦୀକା ଉପରେ ବସାଇ ବାମଦେବ, ଗୌତମ, ଜାବାଳି,କାଶ୍ୟପ ଆଦି ମୁନିଙ୍କ ମନ୍ତ୍ରୋଚ୍ଚାରଣରେ ସୁଗନ୍ଧଜଳ ସିଞ୍ଚନକରି ଅଭିଷେକ ସମାପ୍ତକଲେ l ପୂର୍ବେ ଇକ୍ଷାକୁ ବଂଶ ପାଇଁ, ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ରତ୍ନ କିରୀଟ ଶ୍ରୀରାମ ମସ୍ତକରେ ଧାରଣ କଲେ l ଶତ୍ରୁଘ୍ନ ଶ୍ୱେତଛତ୍ର ଧାରଣକଲେ l ସୁଗ୍ରୀବ ଆଲଟ ଚାମର ପକାଇଲେ l ବିଭୀଷଣ ପିନ୍ଧାଇ ଦେଲେ, ଶ୍ୱେତପଦ୍ମ ଯୁକ୍ତ କାଞ୍ଚନର ମାଳା l ଇନ୍ଦ୍ରଙ୍କ ପ୍ରଦତ୍ତ ଏକ ମୁକ୍ତାହାର ପବନ ଆଣି ଶ୍ରୀରାମଙ୍କ ଗଳାରେ ଲମ୍ବାଇଦେଲେ l ଏପରି ଅଯୋଧ୍ୟା ସିଂହାସନରେ ଶ୍ରୀରାମଙ୍କ ଅଭିଷେକ ସମାପ୍ତ ହେଲା l
ରାମ ବ୍ରାହ୍ମଣମାନଙ୍କୁ ଶତସହସ୍ର ଅଶ୍ୱ,ଧେନୁ, ବୃକ୍ଷ ଓ ସ୍ବର୍ଣ୍ଣମୁଦ୍ରା ପ୍ରଦାନକଲେ l ସୁଗ୍ରୀବ ଅଙ୍ଗଦ ତଥା ଅନ୍ୟ ବାନର ବୀର ମାନଙ୍କୁ ସୁବର୍ଣ୍ଣ ଓ ରତ୍ନ ହାର ମାନ ଉପହାର ଦିଆଗଲା l ଜାନକୀ ହନୁମାନଙ୍କୁ ନିଜ ଗଳାରୁ କାଢ଼ି ଏକ ସୁନ୍ଦର ମୂଲ୍ୟବାନ ହାର ପିନ୍ଧାଇ ଦେଲେ l ରାମ ଅଭିଷେକ ସମାପନାନ୍ତେ ସୁଗ୍ରୀବ, ଅଙ୍ଗଦ,ଜାମ୍ବବାନ ଓ ବିଭୀଷଣ ବିଦାୟ ନେଇ ଚାଲିଗଲେ l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ତୁମେ ରାଜ୍ୟଶାସନ ପାଇଁ ଯୁବରାଜ ପଦ ଗ୍ରହଣ କର l ଲକ୍ଷ୍ମଣ ବିନମ୍ର ହୋଇ ତାହା ଗ୍ରହଣ କଲେ ନାହିଁ l ଏଣୁ ଶ୍ରୀରାମ ଭରତଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ l ଶ୍ରୀରାମ ଅଶ୍ୱମେଧ,ବାଜପେୟ ଆଦି ବହୁ ଯଜ୍ଞ କରି ଦୀର୍ଘ କାଳ ପର୍ଯ୍ୟନ୍ତ ଶାସନ କଲେ l ରାମ ରାଜ୍ୟରେ ନଥିଲା କୌଣସି ଦୈନ୍ୟ ଦୁଃଖ, ଅସାଧୁତା, ହିଂସା, କପଟ, ଅନ୍ୟାୟ ଏବଂ ଅନାଚାର l ଚତୁଃର୍ଦିଗରେ ସୁଖଶାନ୍ତି, ସନ୍ତୋଷ ଓ ଆନନ୍ଦ ବିରାଜମାନ କରୁଥିଲା l ସମସ୍ତ ଜଗତ ହୋଇ ଯାଇ ଥିଲା ରାମମୟ l
ରାମରାଜ୍ୟ ସୁଖ ବର୍ଣ୍ଣନା କରି ଶ୍ରୀମଦ ଭାଗବତର ସଂକ୍ଷିପ୍ତ ରାମ ଚରିତରେ ଉତ୍କଳ ବ୍ୟାସ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଲେଖିଲେ :-
ରାମଙ୍କୁ ପାଇ ପ୍ରଜାଜନେ l
ସକଳ ହରଷିତ ମନେ ll
ପିତାକୁ ପାଇ ପୁତ୍ର ଯେହ୍ନେ l
ଆନନ୍ଦେ ହରଷ ବଦନେ ll
ତ୍ରେତୟା ବର୍ତ୍ତମାନ କାଳେ l
ଯେସନେ ସତ୍ୟଯୁଗ ମିଳେ ll
ରାମାୟଣର ଏହି ପ୍ରସଙ୍ଗ ଆଧାରରେ ନୀଳାଚଳ ଧାମରେ ପୌଷପୂର୍ଣ୍ଣମି ଦିନ ଅନୁଷ୍ଠିତ ହୋଇଥାଏ ମହାପ୍ରଭୂଙ୍କର ପୁଷ୍ୟାଭିଷେକ ନୀତି l





