‘ଭାଷାପକ୍ଷ’ର ପଞ୍ଚମ ଦିବସରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା କବି ଶ୍ରୀଦେବ ସାହିତ୍ୟ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଭାଷାପକ୍ଷ ଓ କୁଟୀର ବହିମେଳାର ପଞ୍ଚମ ଦିବସରେ କବି ଶ୍ରୀଦେବ ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକା ଅଞ୍ଜଳି ପଣ୍ଡା ଏଥିରେ ପୌରୋହିତ୍ୟ କରିଥିଲେ । ଏହି ଭବ୍ୟ ସାରସ୍ୱତ ସନ୍ଧ୍ୟାରେ ଯୁବକବି ଜ୍ଞାନେନ୍ଦ୍ର ପଣ୍ଡା ଓ ଗବେଷିକା ରାଜସ୍ମିତା ସାହୁ ଆଲୋଚକ ଭାବେ ଯୋଗ ଦେଇ କବି ଶ୍ରୀଦେବଙ୍କୁ ମାଆ, ମାଟି ଓ ଗାଁର କବି ଭାବେ ଅଭିହିତ କରିବା ସଙ୍ଗେ ସଙ୍ଗେ ଶୂନ୍ୟପେଟକୁ ପୂର୍ଣ୍ଣ କରୁଥିବା ଚାଷୀର ଯାବତୀୟ ଦୁଃଖ ଯନ୍ତ୍ରଣାକୁ ଅତି ନିଖୁଣ ଭାବରେ ନିଜ କବିତାରେ ଆଙ୍କି ପାରନ୍ତି କବି ଶ୍ରୀଦେବ ବୋଲି ମତପ୍ରକାଶ କରିଥିଲେ। କବି ଶ୍ରୀଦେବ ତାଙ୍କ ବକ୍ତବ୍ୟରେ ସାଂପ୍ରତିକ ସାହିତ୍ୟର ଗତି, ପ୍ରକୃତି ଓ ସ୍ଥିତି ସଂପର୍କରେ ଆଲୋଚନା କରିବା ସହ ନିଜ କାବ୍ୟଯାତ୍ରାର ଅନୁଭୂତି ବଖାଣିଥିଲେ। ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, ରିତେଶ ଦାଶ, ପ୍ରୀତିଲେଖା ଦାସ, ପ୍ରଫୁଲ୍ଲ କୁମାର ଦାସ, କବିତା ଜେନା, ଡକ୍ଟର ସାରଙ୍ଗଧର ତ୍ରିପାଠୀ ପ୍ରମୁଖ କବି ଶ୍ରୀଦେବଙ୍କ ବିଭିନ୍ନ କବିତା ଆବୃତ୍ତି କରିଥିଲେ।ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ତଥା କବି ଶ୍ରୀଦେବଙ୍କ ଉପରେ ଆଧାରିତ ଗୋଟିଏ କବିତାକୁ କଲ୍ୟାଣୀ ନନ୍ଦ ଗାନ କରିଥିଲେ। ଯୁଗ୍ମ ସମ୍ପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଶେଷକଥା ରଖିଥିଲେ। ଉତ୍ସବରେ ବାଲେଶ୍ଵରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.