ଶ୍ରମିକଙ୍କ ମୃତ୍ୟୁ: ବେଦାନ୍ତ କମ୍ପାନୀ ମୂଖ୍ୟ ଫାଟକରେ ଶବ ରଖି ଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବେଦାନ୍ତର ସହଯୋଗୀ ଆଇଜାକ୍ କମ୍ପାନୀର ଆଉ ଏକ କର୍ମଚାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ପରିବାର ଓ ସହଯୋଗୀ କର୍ମଚାରୀ ମିଶି ବେଦାନ୍ତ କମ୍ପାନୀର ମୂଖ୍ୟ ଫାଟକରେ ଶବରଖି କ୍ଷତିପୂରଣ ପାଇଁ ଧାରଣାରେ ବସିଥିଲେ। ସୂଚନା ଅନୁସାରେ ଲାଞ୍ଜିଗଡ଼ ବେଦାନ୍ତ ସହଯୋଗୀ ଆଇଜାକ କମ୍ପାନୀର ଜଣେ ଶ୍ରମିକ ଭାବେ କାମ କରୁଥିବା ଝାରଖଣ୍ଡ ରାଜ୍ୟର ଗଡ଼ବା ଜିଲ୍ଲା ସାନପୁରା ଗାଁର ସନ୍ତୋଷ ରାମ (୪୫)ଙ୍କ ମୃତ୍ୟୁ ଘଟିଥିବାବେଳେ ମୁଖ୍ୟ ଫାଟକରେ ତାଙ୍କ ଶବରଖି ଧାରଣା ଦେଇଥିଲେ ପରିବାର ଓ ସହଯୋଗୀ କର୍ମଚାରୀ। ସନ୍ତୋଷ ରାମ ବେଦାନ୍ତ ପାର୍ଶ୍ୱରେ ରହିଥିବା ଚାଇନା କଲୋନୀରେ ରହି ବେଦାନ୍ତର ସହଯୋଗୀ କମ୍ପାନୀ ଆଇଜାକରେ ଦୀର୍ଘ ବର୍ଷ ହେଲା କାମ କରୁଥିବା ବେଳେ କୌଣସି କାରଣରୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଆଜି ଭୋର ସକାଳ ୫ଘଣ୍ଟା ସମୟରୁ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ପରିବାର ଲୋକେ। କ୍ଷତିପୂରଣ ନଦେଲେ ଶବ ହଟାଇବୁନି ବୋଲି ଅଡ଼ି ବସିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ପୋଲିସ ଲଗାଇ ଜୋର ଜବର ଦସ୍ତ ଶବକୁ ଆମ୍ବୁଲାନ୍ସରେ ଭର୍ତ୍ତି କରି ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ବାରମ୍ବାର କମ୍ପାନୀରେ ଏଭଳି ଅଘଟଣ ଘଟୁଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.