ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ କର୍କାମସ୍କା ଗାଁକୁ ସଂଯୋଗ କରୁଥିବା ଆର୍ଡି ରାସ୍ତାର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। କାମ କରିଥିବା ଶ୍ରମିକଙ୍କୁ ୨ ମାସ ହେଲା ମଜୁରୀ ଦେଇନଥିବା ବେଳେ ନିର୍ମାଣ ଧୀନ ରାସ୍ତାରୁ ଚିପ୍ସ ଉଠିଯାଉଥିବା ବେଳେ ତାହା ଅତ୍ୟନ୍ତ ଶୋଚାନୀୟ ହୋଇପଡ଼ିଛି। ବର୍ତ୍ତମାନ ରାସ୍ତାର ସ୍ଥାୟିତ୍ବକୁ ନେଇ କର୍କାମସ୍କା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ବନ୍ଧପାରି ପଞ୍ଚାୟତ ବାଲିସରା ଛକ ଆର୍ଡି ଠାରୁ କର୍କାମସ୍କା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା ୫.୩୫ କିମି ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ଅଟକଳ ମୂଲ୍ୟ ଟ.୨ କୋଟି ୭୮ ଲକ୍ଷ ୭୬ ହଜାର ରହିଥିଲା। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଠିକାଦାର ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କରିଥିବା ଚୁକ୍ତି ଅନୁଯାୟୀ କାର୍ଯ୍ୟ ଆରମ୍ଭ ୧୦.୦୭.୨୦୧୭ ତଥା କାର୍ଯ୍ୟ ଶେଷ ତାରିଖ ୨୫.୦୭.୨୦୧୮ ରହିଥିଲା।କିନ୍ତୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଠିକାଦାର ଉଚିତ ସମୟରେ ନକରି ବିଳମ୍ବରେ ଆରମ୍ଭ କରି ୨୦୧୯ ରେ ଶେଷ କରିଥିଲେ। ରାସ୍ତା କାମରେ କମ୍ ପରିମାଣରେ ଚିପ୍ସ ଓ ପିଚୁ ବ୍ୟବହାର ହୋଇଥିଲା। ଏହାକୁ ନେଇ ସେହି ସମୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ଶୁଣି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦ୍ବାରା କାମ ସମ୍ପୂର୍ଣ୍ଣ ହେବାର ଏକ ବର୍ଷ ମଧ୍ୟରେ ରାସ୍ତାରୁ ଚିପ୍ସ ଉଠିଯାଇ ରାସ୍ତାଟି ମରଣଯନ୍ତା ପାଲଟିଥିଲା।ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୧୭ ଲକ୍ଷ ୪୫ ହଜାର ରହିଥିଲା। କିନ୍ତୁ ଲୋକଙ୍କ ବାରମ୍ବାର ଅଭିଯୋଗ ପରେବି ରାସ୍ତାର ରକ୍ଷଣାବେକ୍ଷଣ କାମ କଲେନାହିଁ। ରାସ୍ତାଟି ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ମରାମତି କରିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ ରହିଛି। ଏହି ମରାମତି କାମକୁ କଳାହାଣ୍ଡି ଜିଲ୍ଲା ଜୟପାଟଣାର ଜଣେ ଠିକାଦାରଙ୍କୁ ଦିଆ ଯାଇଥିବା ବେଳେ ୨୦୨୫ ଡିସେମ୍ବର ମାସରେ କାମ ଆରମ୍ଭ କରିଛି। ବର୍ତ୍ତମାନ ବାଲିସରା ଛକ ଆର୍ଡି ରାସ୍ତା ରୁ କର୍କାମସ୍କା ଘାଟି ପର୍ଯ୍ୟନ୍ତ ୩ କି:ମି ରାସ୍ତା କାମ ସରିଛି। ମରାମତି କାମଟି ଅତି ନିମ୍ନ ମାନର ହେଉଥିବା ବେଳେ ଦୁଇ ମାସ ମଧ୍ୟରେ ରାସ୍ତାରୁ ଚିପ୍ସ ଉଠିଯାଉଥିବାବେଳେ ତାହା ଅତ୍ୟନ୍ତ ଶୋଚାନୀୟ ଯୋଗୁଁ ରାସ୍ତାର ସ୍ଥାୟିତ୍ବକୁ ନେଇ କର୍କାମସ୍କା ଗାଁ ଲୋକେ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ରାସ୍ତାରେ କାମ କରିଥିବା କର୍କାମସ୍କା ଗାଁର ରୁସି ମାଝୀ, ଟିଙ୍ଗୁ ମାଝୀ, ଦାମଣି ମାଝୀ, ଦିନୁ ମାଝୀ, ମିଶ୍ର ମାଝୀ, ଗୀତା ମାଝୀ, ମୁନି ମାଝୀ, କାମା ମାଝୀ, ପାପିନା ମାଝୀ, ବଡା ମାଝୀ, ମାମି ମାଝୀ; ଉଗ୍ରେସନ ବିଭାର, କୁନି ବିଭାର, ମୁକ୍ତା ହରିଜନ, ରାମାରୋ ହରିଜନ, ମିନି ହରିଜନ, ରାଜକୁମା ହରିଜନ ସମେତ ୨୦ ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ୨ ମାସ ହେଲା ମଜୁରୀ ଦେଇନଥିବା ଅଭିଯୋଗ କରିଛନ୍ତି।ଏନେଇ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ ଖଟୁଆଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଥିଲେ ମଧ୍ୟ କଲଟି ଗ୍ରହଣ କରିନଥିଲେ। ଏଣୁ ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।




