ଡ଼ାକ୍ତର ଦୈତ୍ୟ ନାରାୟଣ ପାଢ଼ୀଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରାୟ ଚାରି ଦଶନ୍ଧି ଧରି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ସେବା ପ୍ରଦାନ କରିଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ାକ୍ତର ଦୈତ୍ୟ ନାରାୟଣ ପାଢ଼ୀ ଫେବୃୟାରୀ ୨୮ ତାରିଖରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରୁଥିବା ବେଳେ ୨୭ ତାରିଖ ଅପରାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ତାଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଜିଲ୍ଲା ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଉଷାରାଣୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକଙ୍କ ସମେତ ସମସ୍ତ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡ଼ାକ୍ତର, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ନର୍ସିଂ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏକ ଭାବାବେଗ ପରିବେଶରେ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନେ ଡ଼ାକ୍ତର ପାଢ଼ୀଙ୍କ କାର୍ଯ୍ୟଦକ୍ଷତା ଏବଂ କର୍ମନିଷ୍ଠ ଭାବର ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କ ସୁସ୍ଥ ଓ ସୁଖମୟ ଅବସର ଜୀବନର କାମନା କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଡାକ୍ତର ପାଢ଼ୀ ସମସ୍ତକୁ ଧନ୍ୟବାଦ ଦେବା ସହ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସଭାଟିକୁ ଅକୃର ହୋତା ପରିଚାଳନା କରିଥିବା ବେଳେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ନାରାୟଣ ରଥ, ସଞ୍ଜୟ ପଣ୍ଡା ପ୍ରମୂଖ ସଭା ଆୟୋଜନରେ ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.