ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଲା ମନୋଜ ଦାସଙ୍କ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଅବିସ୍ମରଣୀୟ ପ୍ରତିଭା ପଦ୍ମଭୂଷଣ ମନୋଜ ଦାସଙ୍କର ୯୩ତମ ଜୟନ୍ତୀ ଉତ୍ସବ କବିତୀର୍ଥ ଶାନ୍ତି କାନନସ୍ଥିତ ଫକୀର ମୋହନ ସାହିତ୍ୟ ପରିଷଦର ସଭାଗୃହରେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ଚରମ୍ପା ମହାବିଦ୍ୟାଳୟ, ଭଦ୍ରକର ଇଂରାଜୀ ବିଭାଗ ଅଧ୍ୟାପିକା ଡକ୍ଟର ସୁକାନ୍ତି ମହାପାତ୍ର ଯୋଗଦାନ କରିଥିଲେ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମନୋଜୀୟ ସାହିତ୍ୟ କର୍ମ ସବୁବର୍ଗର ମଣିଷ ପାଇଁ ପ୍ରେରଣାର ଉତ୍ସ। ଧୈର୍ଯ୍ୟ, ସହାନୁଭୂତି, ସୃଷ୍ଟି ମୂଳରେ ବ୍ୟକ୍ତିତ୍ୱର ମହତ୍ବକୁ ପ୍ରତିପାଦନ କରିଥାଏ ତାଙ୍କର ସତସାହିତ୍ୟ। ଚେତନାର ଉତ୍ତରଣ ଉପତ୍ୟକା, ଭାରତୀୟ ସଂସ୍କାର ଓ ସଂସ୍କୃତିର ବାର୍ତ୍ତବହର ପ୍ରବୁଦ୍ଧ ମନିଷୀସେ। ଆଲୋକ-ଅନ୍ଧାର, ବାସ୍ତବ-ଅବାସ୍ତବ, ଭୌତିକ -ଅଧିଭୌତିକ, ଇନ୍ଦ୍ରିୟ -ଇନ୍ଦ୍ରିୟାତୀତ, ଇହଲୋକ ଓ ପରଲୋକାଗତ ମଧ୍ୟରେ ପାର୍ଥକ୍ୟ ନ ରଖି ସେହି ମନ୍ମୟ ବିନ୍ଧାଣୀ ସର୍ଜନା କରି ଚାଲିଥିଲେ ସାର୍ବଜନୀନ ସାହିତ୍ୟ ଫସଲ, ଯେଉଁଥିରେ ମଣିଷ ପଣିଆର ମାନବିକ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି। ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥନ ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେଶ କୁମାର ଗିରି ଅତିଥି ମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ମନୋଜ ଦାସଙ୍କ ଉପରେ ରଚିତ ସଙ୍ଗୀତକୁ ପ୍ରାରମ୍ଭରେ ସାଥୀମାନଙ୍କ ଦ୍ୱାରା ପରିବେଷଣ କରିଥିଲେ।ଶେଷରେ କଲ୍ୟାଣୀ ନନ୍ଦ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ମାନ୍ୟଗଣ୍ୟ ସାରସ୍ୱତ ପ୍ରେମୀ ଏହି ଅବସରରେ ସଭାକକ୍ଷ ମଣ୍ଡନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.