● ହାଲୁଆ ଝୋଡିଆ ପରଜା ସାହିରେ ପୁଣି ପାନୀୟ ଜଳସଙ୍କଟ
ରାୟଗଡ, (ଶିବ ନାରାୟଣ ଗୈାଡ): ପୁଣି ପାନୀୟ ଜଳ ସମସ୍ୟାକୁ ନେଇ ହାଲୁଆ ଝୋଡିଆ ପରଜା ସାହିବାସିନ୍ଦାଙ୍କ ଅସନ୍ତୋଷ । ଆଜି ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଗୁହାରୀ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୩ଦିନ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବାର ଜିଲ୍ଳାପାଳଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସାହିକୁ ଫେରିଛନ୍ତି ସାହିବାସିନ୍ଦାମାନେ । ଉକ୍ତ ହାଲୁଆ ଝୋଡିଆ ପରଜା ସାହିରେ ଜଳ ସଙ୍କଟ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ରାୟଗଡ ଉପଖଣ୍ଡ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଗାଁରେ ଅଚଳ ହୋଇ ପଡିଥିବା ନଳକୂପଗୁଡିକର ମରାମତି କରାଯାଇଥିଲା ।

ତେବେ ମରାମତି ଦିନ ନଳକୂପରୁ ବିଶୁଦ୍ଧ ଜଳ ବାହାରିଥିଲେ ସୁଦ୍ଧା ତାହା ପାନୀୟ ଉପଯୋଗୀ ହୋଇପାରି ନ ଥିଲା । ସେଥିରୁ ଲୈାହଯୁକ୍ତ ଦୁର୍ଗନ୍ଧ ହଳଦିଆ ରଙ୍ଗର ପାଣି ନିର୍ଗତ ହେଉଥିବାରୁ ସାହିବାସିନ୍ଦା ତାକୁ ବ୍ୟବହାର କରି ପାରୁ ନ ଥିଲେ । ପୁଣି ୩୨୬ ନମ୍ବର ଜାତୀୟ ରାଜପଥ ଅତ୍ରିକମ କରି ଶତାଧିକ ଯାନବାହାନ ସମ୍ମୁଖରେ ଜୀବନକୁ ବାଜି ଲଗାଇ ସାହି ନିକଟରେ ପ୍ରବାହିତ ଝଂଜାବତୀ ନଦୀର ଅଶୁଦ୍ଧ ପାନୀୟ ଜଳକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି ।

ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଳାପାଳଙ୍କୁ ଭେଟି ଗୁହାରୀ କରିଛୁ ବୋଲି ଝୋଡିଆ ପରଜା ସାହିର ଭାସ୍କର ଝୋଡିଆ, ବାସୁଦେବ ଝୋଡିଆ, ଲକ୍ଷ୍ମୀ ଝୋଡିଆ, ମମୀ ଝୋଡିଆ, ସୁମୀତ୍ରା ଝୋଡିଆ, ସୁମାରୀ ଝୋଡିଆ, ଫୁଲଚୋନ ଝୋଡିଆଙ୍କ ସମେତ ପାଖାପାଖି ୨୦ଜଣ ମହିଳା ସାହିବାସିନ୍ଦାମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ବୋଲି ପ୍ରକାଶ କରିଛନ୍ତି ।

ଅପରପକ୍ଷେ ନଳକୂପରେ ଲୈାହଯୁକ୍ତ ପଦାର୍ଥ ବାହାରୁଛି । ତେବେ ତାହା ସ୍ୱାସ୍ଥ୍ୟ ପାଇଁ ସେତେ କ୍ଷତିକାରକ ନ ହେଲେ ମଧ୍ୟ ନଳକୂପ ପାଣିର ନମୂନାକୁ ଟେଷ୍ଟିଂ ପାଇଁ ପଠାଯାଇଛି ଏବଂ ସାହିବାସିନ୍ଦାମାନେ ନିୟମିତ ଭାବେ ମରାମତି ହୋଇଥିବା ନଳକୂପକୁ ବ୍ୟବହାର କଲେ ସେଥିରୁ ଆଉ ଲୈାହଯୁକ୍ତ ପିଇବା ପାଣି ସମସ୍ୟା ରହିବ ନାହିଁ ବୋଲି ରାୟଗଡ ଉପଖଣ୍ଡ ଜିଲ୍ଳା ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରିତେଶ କୁମାର ସାହୁ ପ୍ରକାଶ କରିଛନ୍ତି ।





