ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଏବେବି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଥିବାବେଳେ ସାପ୍ତାହିକ ସଟଡାଉନ୍ ମଧ୍ୟ ବଳବତ୍ତର ରହିଛି। କିନ୍ତୁ ଏହା ସତ୍ତ୍ୱେ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ଶୁକ୍ରବାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ। ତେବେ ଶୁକ୍ରବାର ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ତାରିଖରେ ଶେଷ ହେଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।