କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ) : ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗ୍ରୀଣ୍ଡୋଲ ଗ୍ରାମରେ ଏକ ବିଷାକ୍ତ ସାପ କୁମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଗ୍ରୀଣ୍ଡୋଲ ଗ୍ରାମର ବିକ୍ରମ ଚନ୍ଦିନୀ ଙ୍କ ପୁଅ ରାଜେଶ ଚନ୍ଦିନୀ(୨୪) । ସେ ନିଜ ଘରେ ଶୋଇଥିବା ସମୟରେ ଆଜି ପାହାନ୍ତିଆ ସମୟରେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼ରେ କାମୁଡି ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଡାକ୍ତରଖାନା ପକ୍ଷରୁ ଗୋଲାମୁଣ୍ଡା ପୋଲିସକୁ ଖବର ଦେବା ପରେ ପୋଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଉକ୍ତ ଯୁବକଟି ଗତ ତିନି ମାସ ତଳେ ବିବାହ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।





