ରାୟଗଡ, (ଶିବ ନାରାୟଣ ଗୈାଡ): କରୋନା ମହାମାରୀରୁ ସୁରକ୍ଷା ପାଇଁ ଥେରୁବାଲିରେ ଇମ୍ଫା ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି।
ଏହି ଟୀକାକରଣରେ ସ୍ୱତଃ ପ୍ରବୃତ୍ତ ଭାବେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି , ଗାଁର ମୁଖିଆ, ଜାନୀ, ଦିସାରୀ ଓ ସାଆନ୍ତା, ନାଗରିକ ମଂଚର ସମ୍ପାଦକ, ସ୍ବେଛାସେବୀ ଆଦିବାସୀ ଯୁବକଯୁବତୀ ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ ଶ୍ରମିକ ଓ ତାଙ୍କର ପରିବାର ବର୍ଗ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ହୋଇଛନ୍ତି।
ଏହି ଟୀକାକରଣ କାର୍ଯ୍ୟକ୍ରମ ଇମ୍ଫା ଶିଳ୍ପ ଗୋଷ୍ଠୀ, ଫିକି ଓ ଆପୋଲୋ ହସିପିଟାଲର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଇମ୍ଫାର ଉପସଭାପତି କେ.ଭି.ରାଓ, ଉପ ମହା ପ୍ରବନ୍ଧକ(ମାନବ ସମ୍ବଳ ଓ ପ୍ରଶାସନ) କଲୋଲ କୁମାର ନାୟକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ। ଇମ୍ଫା ହସ୍ପିଟାଲର ଡାକ୍ତର ପଶାନ୍ତ କୁମାର କରଙ୍କ ତତ୍ୱବାଧାନରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଟୀକାକରଣ କରାଯାଇଛି।
“ଇମ୍ଫା ଦ୍ୱାରା ମୁଁ ଓ ମୋର ପରିବାର ବର୍ତ୍ତମାନ ସୁରକ୍ଷିତ” ବୋଲି ନିଜର ମତ ପ୍ରକାଶ କରିଛନ୍ତି ଥେରୁବାଲି ନାଗରିକ ମଂଚର ସମ୍ପାଦକ ଭାସ୍କର ଅମରସିଂ। ଶ୍ରମିକ ଓ ତାଙ୍କର ପରିବାର ଵର୍ଗ ପାଇଁ ମାଗଣାରେ ଓ ସୁବିଧାରେ ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଇମ୍ଫାର ସମସ୍ତ ଶ୍ରମିକ ସଂଗଠନ କାରଖାନା କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।