କଳାହାଣ୍ଡି,(ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାଠାରେ ଥିବା ଗଙ୍ଗା ସାଗର ଜଳାଶୟରୁ ଆଜି ଏକ ଅଜଗର ସାପ ଉଦ୍ଧାର ହୋଇଥିବା ବେଳେ ଏହି ସାପଟିକୁ ବନ ବିଭାଗ ସ୍ଥାନୀୟ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଆଜି ସକାଳ ସମୟରେ ଗୋଲାମୁଣ୍ଡା ଶିବ ମନ୍ଦିର ନିକଟରେ ଥିବା ଗଙ୍ଗା ସାଗର ଜଳାଶୟରୁ ମାଛ ଧରା ଜାଲରେ ଏକ ଅଜଗର ସାପ ଫସିଯାଇଥିବା ଏହି ଗ୍ରାମର ମାଛ ଧରାଳି ରାଜମଲ ଦୀପ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଜଳାଶୟ ପାଖରେ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା ।
ଏବିଷୟରେ ଗୋଲାମୁଣ୍ଡା ଫରେଷ୍ଟର ରମେଶ ପଣ୍ଡା ଖବରପାଇ ଘଟଣାସ୍ଥାଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ସାପଟିକୁ ପାଣି ମଧ୍ୟରୁ ବାହାରକୁ ସୁରକ୍ଷିତ ବାହାର କରିଥିଲେ । ସାପଟିକୁ ବନ ବିଭାଗ ସୁରକ୍ଷିତ ଭାବେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।
ସାପଟି ପାଖାପାଖି ସାତ ଫୁଟ ଥିବା ବେଳେ ଓଜନ ପ୍ରାୟ ୮ କେଜି ଓ ଏହି ସାପର ଆନୁମାନିକ ବୟସ ୮ ମାସ ହେବ ବୋଲି ବନ ବିଭାଗ ସୁତ୍ରରୁ ପ୍ରକାଶ । ଅପର ପକ୍ଷରେ ଅଜଗର ଭଳି ସାପ ଏହି ଅଂଚଳରେ କେବେ ଦେଖାଯାଉ ନଥିବା ବେଳେ ଉକ୍ତ ଜଳାଶୟ ପାଖରେ କୌଣସି ପାହାଡ ନଥିବାରୁ ଏଠାକୁ କିପରି ଏହି ସାପ ଆସିଲା ଏନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।