● ଜିଲ୍ଳାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଗୁଣପୁର ବଂଶଧାରା ଅବବାହିକା ସୁରକ୍ଷା ସମିତି
ରାୟଗଡ, (ଶିବ ନାରାୟଣ ଗୈାଡ): ଆନ୍ଧ୍ର ସରକାର ନେରେଡି ଜଳ ପ୍ରକଳ୍ପ ନେଇ ଯେତେ ତତ୍ପରତା ଦେଖାଉଛି ରାୟଗଡ ଜିଲ୍ଳା ବଂଶଧାରା ନଦୀ ଅବବାହିକାରେ ରହୁଥିବା ଲୋକଙ୍କୁ ଏବେ ଚିନ୍ତା ଆହୁରି ବଢାଇ ଦେଇଛି । ଯାହାର ଉଚିତ୍ ଜବାବ୍ ଦେବା ପାଇଁ ରାଜ୍ୟ ସରକାର ବଂଶଧାରା ନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବାର ସମୟ ଆସିଛି ବୋଲି ବଂଶଧାରା ଅବବାହିକା ସୁରକ୍ଷା ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କାର୍ତିକେୟାନ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ବଂଶଧାରା ସୁରକ୍ଷା ସମିତି ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ, ଉପସଭାପତି ବିଜୟ କୁମାର ଗମାଙ୍ଗ, ସାଧାରଣ ସଂପାଦକ ଇନ୍ଦ୍ରାକ୍ଷୀ ଦାଶ, ଆବାହକ ରଂଜିତ ପାଢୀ, ଯୁଗ୍ମ ସଂପାଦକ ମୁନା ପାଣି, ଉପଦେଷ୍ଠା ପ୍ରଦୀପ ଦାଶ, କୃଷ୍ଣ ସେନାପତି, ପୂର୍ବତନ ଗୁଣପୁର ଏନଏସି ଅଧ୍ୟକ୍ଷ ସାନ ଗୈାଡ, କୋଷାଧ୍ୟକ୍ଷ ଏସ.ବାବା ପ୍ରସାଦ, ରାଧାକୃଷ୍ଣ ପଟ୍ଟନାୟକ, ରମେଶ ଲିମା, ନାଗେନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଜିଲ୍ଳାପାଳଙ୍କ ସହ ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରି ଅବବାହିକାରେ ରହୁଥିବା ଲୋକଙ୍କୁ ସୁରକ୍ଷା ସହ ସେମାନଙ୍କ ଜୀବିକା ଉପରେ ଗୁରୁତ୍ୱ ଦେବା ପାଇଁ ଆଲୋଚନ କରିଥିଲେ । ନେରେଡି ଜଳ ପ୍ରକଳ୍ପରେ ଜଳ ସଂରକ୍ଷିତ ଆରମ୍ଭ ହେଲେ ବଂଶଧାରା ଅବବାହିକାରେ ରାୟଗଡ ଜିଲ୍ଳାର ଗୁଣପୁର ସମେତ ଅନେକ ଗ୍ରାମବାସୀ ପ୍ରଭାବିତ ହେବା ସହ ଚାଷ ଜମି ଗୁଡିକ ଜଳଚର ହୋଇଯିବାର ଆଶଙ୍କାକୁ ନେଇ ଜିଲ୍ଳାପାଳଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ପ୍ରକାଶ ଥାଉ କି, ପଡୋଶୀ ଆନ୍ଧ୍ର ସରକାର ବଂଶଧାରା ନଦୀ ତଳମୁଣ୍ଡରେ ବିଗତ ୧୯୭୦ମସିହାରେ ଗୋଟା ବ୍ୟାରେଜ୍ ନିର୍ମାଣ କରିଥିବା ବେଳେ ହୀରାମଣ୍ଡଳମ୍, ନେରେଡି ପାଇଁ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଲାଗିଥିବା ବିବାଦରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଟ୍ରିବ୍ୟୁନାଲର ରାୟ ଆନ୍ଧ୍ର ସପକ୍ଷରେ ଯିବା ପରେ ଗଜପତି ଜିଲ୍ଳାର କାଶୀନଗର ଓ ରାୟଗଡ ଜିଲ୍ଳାର ଗୁଣପୁର ଓ ଗୁଡାରୀ ୩ଟି ବ୍ଳକ ପାଇଁ ବିପଦ ଟାଣି ଆଣିଛି । ନେରେଡି ଜଳ ପ୍ରକଳ୍ପକୁ ନେଇ ଓଡିଶା ସରକାରଙ୍କ ସମସ୍ତ ଉଦମ୍ୟ କେବଳ ପ୍ରସ୍ତାବରେ ସୀମତି ରହିଥିବା ବେଳେ ପଡୋଶୀ ଆନ୍ଧ୍ରର ବିଭିନ୍ନ ପ୍ରକଳ୍ପ ଦ୍ୱାରା ବର୍ଷା ଦିନରେ ବନ୍ୟା ଓ ଖରା ଦିନରେ ଜଳ ସଙ୍କଟ ଦେଖାଦେଉଛି ବୋଲି ସୁରକ୍ଷା ସମିତି ପକ୍ଷରୁ ସ୍ମାରକପତ୍ରରେ ଉଲ୍ଳେଖ ରହିଛି । ଯଥାଶୀଘ୍ର ରାଜ୍ୟ ସରକାର ବଂଶଧାରା ନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରି ନଦୀ ଜଳକୁ ଓଡିଶାବାସୀଙ୍କ ଉପଯୋଗୀ ପାଇଁ ବ୍ୟବହାର ନିମନ୍ତେ କାର୍ଯ୍ୟାରମ୍ଭ କରନ୍ତୁ ନଚେତ୍ ଜନ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବଂଶଧାରା ଅବବାହିକା ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି ।





