ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ଯୋଜନା କମିଟି ବୈଠକ ଆଭାସୀ (ଭର୍ଚୁଆଲ) ବ୍ୟବସ୍ଥା ମାଧ୍ୟମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ହସ୍ତତନ୍ତ ବୟାନ ଶିଳ୍ପ ଓ ହସ୍ତ କଳା ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ଦିଆନ ରାୟଗଡ ଜିଲ୍ଲାର ବିକାଶ ପାଇଁ ବିଶେଷ କରି ବିଜୁଳି, ସଡ଼କ ଓ ପାଣି ସହିତ ଆନ୍ୟାନ୍ୟ ସାମଗ୍ରିକ ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସହଯୋଗ ରହିଛି ବୋଲି ପ୍ରକାଶ କରିଛନ୍ତି । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟ ବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷାଙ୍କୁ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ। ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ମହାମାରୀ କରୋନାର କଠିନ ସମୟ ସତ୍ତ୍ୱେ ଆଭାସୀ ମାଧ୍ୟମରେ ଜିଲ୍ଲା ଯୋଜନା କମିଟି ବୈଠକ ଆୟୋଜନ କରାଯାଉଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ । ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ମହୋଦୟା କହିଥିଲେ ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ, ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସର୍ବ ପ୍ରଥମେ ପୂର୍ବ ବୈଠକର ବିବରଣୀକୁ ଦୃଢିକରଣ କରାଯାଇଥିଲା । ଏଜେଣ୍ଡା ଅନୁଯାୟୀ ବିଜୁ କେବିକେ ଯୋଜନା ପାଣ୍ଠିର ଅନୁଦାନ ଖର୍ଚ୍ଚ ଓ ବିନିଯୋଗ ବିବରଣୀ ଉପରେ ସମୀକ୍ଷା ଏବଂ ୨୦୨୦-୨୧ ଆର୍ଥିକ ବର୍ଷର ବିଜୁ କେବିକେ ଯୋଜନାର ଆଲୋଚନା ଓ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା । ବିଜୁ କେବିକେ ଯୋଜନାରେ ପ୍ରତି ବ୍ଲକ ପିଛା ୫୦ ଲକ୍ଷ ଟଙ୍କା ହିସାବରେ ବିଜୁଳି, ସଡ଼କ ଓ ପାଣି ତଥା ଅନ୍ୟାନ୍ୟ ବିକାଶମୂଳକ ୨୭୬ଟି ପ୍ରକଳ୍ପ ନିମନ୍ତେ ୫୫୦ଲକ୍ଷ ଟଙ୍କାର ବଜେଟ ଅନୁମୋଦନ କରାଯାଇଥିଲା । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ରାୟଗଡ ଜିଲ୍ଲା ପାଇଁ ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ପାଣ୍ଠି ଏବଂ କେନ୍ଦ୍ରୀୟ ବିଭିନ୍ନ ଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ରୂପାୟନ ପାଇଁ ଏବଂ ବିଭିନ୍ନ ବିଭାଗ ଅଧିନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ନିମନ୍ତେ ଟ୧୨୩୮୧୪.୨୨/-ଙ୍କାର ବାର୍ଷିକ ଯୋଜନା ଚିଠାର ଅନୁମୋଦନ କରାଯାଇଥିଲା ।
ରାୟଗଡ ଜିଲ୍ଲାରେ ବିଜୁଳି, ସଡ଼କ ଓ ଯୋଗାଯୋଗ ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଲୋକ ପ୍ରତିନିଧିମାନେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ ସମସ୍ତ ଲୋକପ୍ରତିନିଧି ନିଜ ନିଜର ଆବଶ୍ୟକ ଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ରାୟଗଡ ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଏହି ଆଭାସୀ ବୈଠକରେ ମାନ୍ୟବର ସାଂସଦ ରାଜ୍ୟସଭା ଏନ ଭାସ୍କର ରାଓ , ବିଧାୟକ ରାୟଗଡ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର ଦାସଙ୍କ ସମେତ ସମସ୍ତ ଯୋଜନା କମିଟର ସଦସ୍ୟସଦସ୍ୟା ମାନେ ଏବଂ ବିଭନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।





