● ଏତେଲାର ସପ୍ତାହ ପରେ ମଧ୍ୟ କେବୁଲ ତାର ଚୋର ଧରା ପଡିଲାନି
● ପୁରୁଣା ମୋଟର ମରାମତି ହେବ କି ନୂଆ ମୋଟର ଲାଗିବ?
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ସାନ୍ଦୁଲ ସେତୁ ନିକଟରେ ସାନ୍ଦୁଲ ନଦୀ ଶଯ୍ୟାରେ ରହିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ୧୦୦ ଫୁଟର ୧୦ ଏମଏମ୍ ର କେବୁଲ ତାର ଗତ ମଙ୍ଗଳବାର ରାତିରେ ଚୋରୀ ହୋଇଯାଇଥିଲା । ଏନେଇ ନର୍ଲା ସରପଞ୍ଚ ଓ ସର୍ଗିଗୁଡା ସରପଞ୍ଚଙ୍କ ତରଫରୁ ନର୍ଲା ଥାନାରେ ଏକ ଏତେଲା ମଧ୍ୟ ଦିଆ ଯାଇଥିବା ଜଣା ପଡିଛି। ପୋଲିସ୍ ତଦନ୍ତ କରିବ। କେବୁଲ ତାର ଚୋରୀ କରିଥିବା ଚୋରକୁ ଧରିବ ଏହା ଭିନ୍ନ ପ୍ରସଙ୍ଗ। ହେଲେ ବର୍ତ୍ତମାନର ପରିସ୍ଥିତିରେ ଆଠ ଦିନ ଧରି ନର୍ଲା, ନର୍ଲାରୋଡ, ସର୍ଗିଗୁଡା, ଡିଗିରାପଡା ଓ ବେହେରାପାଟିକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ପଡିଛି। ନର୍ଲା ଓ ସର୍ଗିଗୁଡା ଦୁଇ ସରପଞ୍ଚଙ୍କ ପ୍ରୟାସ ପରେ କେବୁଲ ତାର କିଣା ହୋଇ ରବିବାର ଗୋଟିଏ ଦିନ ଚାଲିଲା ପାଣି। ତା ପରେ ମୋଟର ଜାମ । ଆଠ ଦିନ ହେଲା ନର୍ଲା ଅଞ୍ଚଳରେ ଜଳଯୋଗାଣ ଠପ୍ ହୋଇ ପଡିଛି। ନର୍ଲାରେ ସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ଅଞ୍ଚଳର ଏଭଳି କେଉଁ ଅସାମାଜିକ ବ୍ୟକ୍ତି କେବୁଲ ତାର ଚୋରୀ କଲା? ଯାହା ଫଳରେ ଅଞ୍ଚଳବାସୀ ଦଶ ଦିନ ହୋଇ ଗଲାଣି ପାନୀୟ ଜଳ ନପାଇ ଅନେକ ହଇରାଣ ହେଉଛନ୍ତି, ତାହା ଆଲୋଚନାର ପ୍ରସଙ୍ଗ। ସର୍ଗିଗୁଡା ଓ ନର୍ଲା ସରପଞ୍ଚଙ୍କ ତରଫରୁ ପାଣ୍ଠି ପ୍ରଦାନ ପରେ ବିଭାଗ ତରଫରୁ ପୁଣି କେବୁଲ ତାର କିଣାଯାଇ ସଂଯୁକ୍ତ କରାଗଲା। ଏହାପରେ ରବିବାର ଗୋଟାଏ ଓଳି ପାଣି ଚାଲିଛିକି ନାହିଁ ପୁଣି ବିଭାଗ ତରଫରୁ କୁହାଗଲା କୂଅ ଭିତରେ ବୁଡି ରହିଥିବା ୨୫ ଏଚପିର ମୋଟର ଜାମ ଯୋଗୁଁ ନର୍ଲାକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି।

ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନର୍ଲା ତରଫରୁ ୧୯୯୮ ମସିହାରେ ମାଟିତଳେ ପାଇପ ପୋତା ଯାଇଥିଲା। ହେଲେ ୨୦୦୩ ମସିହାରେ ନର୍ଲାରେ ବିଧିବଦ୍ଧ ଭାବରେ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ସାନ୍ଦୁଲ ନଦୀ ଶଯ୍ୟାରେ ଗୋଟିଏ ଇନଟେକ ୱେଲ ନିର୍ମାଣ କରାଯାଇ ଜଳ ଯୋଗାଣ ଚାଲିଥିଲା। ବେହେରାପାଟି ଗ୍ରାମକୁ ସଂଯୁକ୍ତ କରାଯିବା ପରେ ଦୁଇଗୋଟି ଇନଟେକୱାଲ ନିର୍ମାଣ କରାଯାଇ ଏବେ ଜଳ ଯୋଗାଣ ଚାଲିଛି। ନର୍ଲାରୁ ଛତିକୁଡା ପଟେ ଯାଇଥିବା ବିଦ୍ୟୁତ ଯୋଗାଣ ଅନେକ ସମୟରେ ବ୍ୟାହତ ହେଉଥିବା ଯୋଗୁଁ ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାର୍ଟି ଗ୍ରାମକୁ ପାନୀୟ ଜଳ ଯୋଗାଣରେ ଅନେକ ସମୟରେ ସମସ୍ୟା ଦେଖା ଦେଇଥାଏ। ବିଶେଷ କରି ବର୍ଷା ଦିନରେ ଅଳ୍ପ ବର୍ଷା କିମ୍ବା ଅଳ୍ପ ପବନ ହେଲେ ଛତିକୁଡା ପଟର ଲାଇନ ଦିନ ଦିନ ଧରି ଆଉ ରହିନଥାଏ। ଫଳରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏହା ଆଜିକାର ସମସ୍ୟା ନୁହଁ। ନର୍ଲା ପାନୀୟ ଜଳ ଯୋଗାଣରେ ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ମାଟି ତଳେ ପୋତା ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ ବାରମ୍ବାର ଫାଟି ମଧ୍ୟ ମାସକୁ ଦୁଇ ରୁ ତିନିଥର ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଥାଏ।

ନଈ କୂଲସ୍ଥିତ ଇନ୍ଟେକ କୂଅ ଭିତରେ ବୁଡି ରହିଥିବା ୨୫ ଅଶ୍ୱ କ୍ଷମତା ସମ୍ପନ୍ନ ମୋଟର ଜାମ୍ ହୋଇଯିବା ଫଳରେ ଏବେ ନର୍ଲାକୁ ଜଳ ଯୋଗାଣ ଗତ ମଙ୍ଗଳବାର (୨୯/୬)ରୁ ବନ୍ଦ ହୋଇପଡିଛି। ପୁରୁଣା ମୋଟର ସଜଡା ହେଲେ ଚାଲିବ ନଚାଲିବ ତାହା ସଂଦେହରେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହୁଛନ୍ତି କେସିଙ୍ଗାରୁ ନୂଆ ମୋଟର ଅଣାଯାଇ ଲଗାଯିବ ବୋଲି। ହେଲେ ଅଦ୍ୟାବଧି ନୂଆ ମୋଟର ଆସିନଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ କୂଅ ଭିତରୁ ଖରାପ ମୋଟରଟିକୁ କାଢି ମରାମତି ପାଇଁ ମେକାନିକକୁ ଦେବେ ବୋଲି ଜଣା ପଡିଛି। ହେଲେ ଲୋକେ ପାନୀୟ ଜଳ କେବେ ପାଇବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





