ରାୟଗଡ, (ଶିବ ନାରାୟଣ ଗୈାଡ): ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ସହରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳା ସହ କୋଭିଡ-୧୯ଗାଇଡଲାଇନ ମଧ୍ୟରେ ଆଜି ପାଳିତ ହୋଇଯାଇଛି । ୯ଦିନ ଧରି ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଭକ୍ତଙ୍କୁ ଦଶ ଅବତାର ଦର୍ଶନ ଦେବା ପରେ ଆଜି ଆଡପ ମଣ୍ଡପରୁ ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତି । ଆଜି ସଂଧ୍ୟା ସାଢେ ୬ଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ବିଜେ ନୀତିକାନ୍ତି ଶେଷ କରି ସେବାୟତମାନେ ଚତୁର୍ଦ୍ଧାମୂର୍ତିଙ୍କୁ ରତ୍ନ ସିଂହାସନରେ ବିଜେ କରାଇଥିଲେ । ରାଜ ପୁରୋହିତ ବିରଂଚି ନାରାୟଣ ଦାଶଙ୍କ ସମେତ ଅନ୍ୟ ସେବାୟତମାନେ ରୀତିକାନ୍ତି ସହ ବାହୁଡା ଯାତ୍ରାର ପୂଜାବିଧିକୁ ସଂପନ୍ନ କରାଇଥିଲେ ।
ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି ବେଶକୁ ଦେଖିବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆବେଗ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା । ଝିପିଝିପି ବର୍ଷା ସାଙ୍ଗକୁ ମନ୍ଦିର ଅଂଚଳରେ ୧୪୪ଧାରା ନିୟମକୁ ଅଣଦେଖା କରି ମହାବାହୁଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ସମାଗମ ଦେଖିବାକୁ ମଧ୍ୟ ମିଳିଥିଲା । ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ତଥା ଦେବତୋର ଅଧିକାରୀ ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ୯ଦିନ ଧରି ମନ୍ଦିର ବାହାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିବାରୁ ରଥଯାତ୍ରାରୁ ଆରମ୍ଭ କରି ବାହୁଡା ଯାତ୍ରା ଯାଏଁ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଥିଲା ।