କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଘଡେଇ ଆବାସିକ ଅନୁଷ୍ଠାନ’ରେ ଆଜି ଅପରାହ୍ନ ସମୟରେ ଓଟିଭିର ମୁଖ୍ୟ ସାମ୍ବାଦିକ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ବି.ଭି.ଆର୍ ପଟ୍ଟନାୟକ, ଶାବରୀ ଏକ୍ସପ୍ରେସ୍ ର କୋରାପୁଟ ପ୍ରତିନିଧି ତ୍ରିନାଥ ପଟ୍ଟନାୟକ, ଅଧ୍ୟାପକ ହରିହର ପଟ୍ଟନାୟକ, ସମାଜସେବୀ ବିକ୍ରମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଶ୍ରୀ ଦାଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସ୍ୱରୂପ ଦୀପଧୂପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବି.ଭି.ଆର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଉପସ୍ଥିତ ଅତିଥି ଦିବଂଗତ ସାମ୍ବାଦିକଙ୍କ ନିର୍ଭିକ ସାମ୍ବାଦିକତା ସମ୍ପର୍କରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ପରିଶେଷରେ ତ୍ରିନାଥ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।