କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତ ଟେପସା ଗାଁର ଦିବ୍ୟାଙ୍ଗ ତଥା ପିତୃମାତୃହୀନ ହଳଧର ରଣାଙ୍କ ଦୁଃଖ ଦୂର ହୋଇଛି। କଳାହାଣ୍ଡିର ୨ଟି ଅଗ୍ରଣୀ ସାମାଜିକ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ହସ୍ତକ୍ଷେପ ପରେ ତାଙ୍କୁ ଯଶୋଦା ଅନାଥାଶ୍ରମରେ ଥଇଥାନ କରାଯାଇଛି। ପ୍ରାପ୍ତ ସୂଚନା ଆଧାରରେ ଧଳଧର ଜନ୍ମରୁ ମୁକ। ତାଙ୍କ ବାପା ଜୟକର ରଣା ଅନେକ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବାବେଳେ ଗତ ବର୍ଷ କରୋନା ସମୟରେ ତାଙ୍କ ମାତା ସୁପାରୀ ରଣାଙ୍କ ନିଧନ ହୋଇଛି। ପିତା ମାତାଙ୍କ ଦେହାନ୍ତ ପରେ ସେ ଏକା ହୋଇପଡିଲେ। ରହିବେ କେଉଁଠି ଖାଇବେ କ’ଣ ଏହାକୁ ନେଇ ଅନେକ ପ୍ରଶ୍ନ। ଗାଁର ଯିଏ ଯାହା ଦେଲା ତାକୁ ସେ ଖାଉଥିଲେ। ନିଜର ବୋଲି ଘର ଖଣ୍ଡେ ମଧ୍ୟ ନଥିବାରୁ ସେ ଅନ୍ୟ ଘରେ ଆଶ୍ରୟ ନେଉଥିଲେ। ସରକାରୀ ସହାୟତା କହିଲେ ମାସିକ ୭ ସହ ଟଙ୍କା ଓ ୩୫କେଜି ଚାଉଳ। ସେ ଦିବ୍ୟାଙ୍ଗ ଓ ପୂର୍ବରୁ ଅଭ୍ୟାସ ନଥିବାରୁ ରାନ୍ଧିକି ମଧ୍ୟ ଖାଇ ପାରନ୍ତି ନାହିଁ। ଚାଉଳ ଓ ଭତ୍ତା ପଇସା ନେଇ ରୋଷେଇ କରି ଖାଇବାକୁ ଦେବାକୁ ମଧ୍ୟ ସମ୍ପର୍କୀୟ ମାନେ ମନା କରିଦେଲେ। ଏହି ସମସ୍ୟା ବିଷୟରେ ଜାଣିଲା ପରେ ସ୍ଥାନୀୟ ଲୋକେ ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ତାଙ୍କୁ ଥଇଥାନ କରିବାପାଇଁ ନିବେଦନ କରିଥିଲେ। ଖବର ପାଇଲାପରେ ଯଶୋବନ୍ତ ରଣା ନିଜେ ହଳଧରଙ୍କ ପାଖକୁ ଯାଇ ସମସ୍ୟା ସବୁ ଦେଖିଲେ ଓ ତାଙ୍କୁ ଥଇଥାନ କରିବାପାଇଁ କଳାହାଣ୍ଡିର ଦୁଇ ସାମାଜିକ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ସହ ଯୋଗାଯୋଗ କରି ହଳଧରଙ୍କୁ ଥଇଥାନ କରିବାକୁ ନିବେଦନ କରିଥିଲେ। ଦୁଇ ସଂଗଠନର ନିଷ୍ପତ୍ତି କ୍ରମେ କେସିଟି ର ଉପ-ସଭାପତି ରୋମାଞ୍ଚଳ ରଣା ଓ ଯଶୋବନ୍ତ ରଣା ହଳଧରଙ୍କ ଘରକୁ ଯାଇ ତାଙ୍କୁ ଥଇଥାନ କରିବାପାଇଁ ପ୍ରତିଶୃତି ଦେଇଥିଲେ। ଦୁଇ ସଂଗଠନ ଓ ଡିଏସଏସଓ ଙ୍କ ନିଷ୍ପତ୍ତି କ୍ରମେ ହଳଧରଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରିବାପାଇଁ ନିଷ୍ପତ୍ତି ନିଆଗଲା। ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ବରିଷ୍ଟ କର୍ମକର୍ତା ଅଜୟ କୁମାର ଯାଦବ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ, ଅଙ୍କିତ ସେଠି, ମୃତ୍ୟୁଞ୍ଜୟ ରଣା, ଲଷ୍ମୀକାନ୍ତ ନାଏକ ଓ ଖୁସି ଚାରିଟେବୁଲ ଟ୍ରଷ୍ଟର ରୋମାଞ୍ଚଳ ରଣା, ଯଶୋବନ୍ତ ରଣା ପ୍ରମୁଖ ହଳଧରଙ୍କୁ ସାଙ୍ଗରେ ଧରି ଭବାନୀପାଟଣା ଠାରୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମକୁ ନେଇ ଆଶ୍ରମର ପ୍ରତିଷ୍ଠାତା ଶ୍ୟାମ ସୁନ୍ଦର ଜାଲଙ୍କ ତତ୍ବାବଧାନରେ ଛାଡିଥିଲେ। ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।