ସତ୍ୟ ଯୁଗର କଥା। ଉର୍ମିଳା ନାମକ ଜଣେ ସ୍ବର୍ଗ ବିଦ୍ୟାଧାରୀ ଭଗବାନଙ୍କୁ ପାଇବା ପାଇଁ କଠୋର ତପସ୍ୟା କରି ଧ୍ଯାନରେ ଭଗବାନଙ୍କ ଅପୂର୍ବ ରୂପ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲେ। ଭଗବାନଙ୍କ ମୂରଲୀଧର ବାଳ ଗୋପାଳ ରୂପରେ ବିମୋହିତ ହୋଇ ସେ ତାଙ୍କର ଅଙ୍ଗ ସଙ୍ଗ ଲାଭ କରିବାର ଅଭିଳାଷ ପୋଷଣ କଲେ। ଉର୍ମିଳାଙ୍କ ତପରେ ସନ୍ତୁଷ୍ଟ ହୋଇ ଭଗବାନ କହିଲେ, ଉର୍ମିଳା! ତୁମେ ଯାହା କାମନା କରିଛ ତାହା ବର୍ତ୍ତମାନ ପୁରଣ ହୋଇ ପାରିବ ନାହିଁ। ଏଥିପାଇଁ ତୁମକୁ ଆଉ ଦୁଇଟି ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ବର୍ତ୍ତମାନ ସତ୍ୟ ଯୁଗ ଚାଲିଛି। ଏହାପରେ ତ୍ରେତୟା ଯୁଗ ଆସିବ, ତା’ପରେ ଆସିବ ଦ୍ବାପର ଯୁଗ। ସେହି ଯୁଗରେ ଦୁଷ୍ଟ ଦଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରି, ମୁଁ ଏହି ମୁରଲୀଧର ବାଳଗୋପାଳ କୃଷ୍ଣ ରୂପରେ ଗୋପ ବୃନ୍ଦାବନରେ ଅନେକ ଦିନ ଲୀଳା ଖେଳା କରିବି। ମଥୁରାର କାରାଗାରରେ ଜନ୍ମ ହୋଇ ଗୋପରେ ଯାଇ ବଢିବି। ତୁମେ ସେତେବେଳେ ମୋର ସ୍ପର୍ଶ ଓ ଅଙ୍ଗସଙ୍ଗ ଲାଭକରିବାର ସୌଭାଗ୍ଯ ପ୍ରାପ୍ତ ହେବ। ତୁମକୁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଉର୍ମିଳା କହିଲେ ପ୍ରଭୁ! ମାତ୍ର ଦୁଇଟି ଯୁଗ କାହିଁକି ମୁଁ ଆପଣଙ୍କ ସ୍ପର୍ଶ୍ବ ପାଇବା ପାଇଁ ଏମିତି ଅନେକ ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିପାରେ। ଭଗବାନଙ୍କ ସାନିଧ୍ଯ ଅପେକ୍ଷାରେ ଉର୍ମିଳା ଏକ କେନ୍ଦୁ ବୃକ୍ଷ ହୋଇ ବୃନ୍ଦାବନରେ ଜନ୍ମ ନେଲେ। ଏମିତି ଯୁଗ ପରେ ଯୁଗ ବିତିଗଲା। ଦ୍ବାପରରେ ଗୋଲୋକ ବିହାରୀ ଶ୍ରୀକୃଷ୍ଣ ପରିପୁର୍ଣ୍ଣତମ ଅବତାର ରୁପରେ ଜନ୍ମ ଗ୍ରହଣ କଲେ। ଉର୍ମିଳା ରସ କଦମ୍ବ (ସିମେଲ୍ ଗଛ) ବୃକ୍ଷ ପାର୍ଶ୍ଵରେ ମହା କେନ୍ଦୁ ବୃକ୍ଷ ହୋଇ କୃଷ୍ଣଙ୍କ ଅପେକ୍ଷାରେ ଥାନ୍ତି। ଭଗବାନ କୃଷ୍ଣ ଗୋପୀମାନଙ୍କୁ ଏପରି ପାଗଳ କରିଦେଇଥାନ୍ତି ଯେ, ସେମାନେ ସବୁବେଳେ କୃଷ୍ଣଙ୍କ ଧ୍ୟାନରେ ରହୁଥିଲେ। ଦିନେ କୃଷ୍ଣଙ୍କୁ ନପାଇ ଗୋପୀମାନେ ବୃନ୍ଦାବନରେ ତାଙ୍କର ଅନ୍ୱେଷଣ କରୁଥାନ୍ତି।
ସେହି ସମୟରେ ସେମାନେ ଦେଖିଲେ ରସ କଦମ୍ବ ପାର୍ଶ୍ବରେ କୃଷ୍ଣ ବର୍ଣ୍ଣର ଏକ ବୃକ୍ଷ ରହିଛି। ଗୋପୀମାନେ ଭାବିଲେ କୃଷ୍ଣ ତ ସବୁବେଳେ ଆମ ପାଖରେ ରହୁ ନାହାନ୍ତି। ଏହି ବୃକ୍ଷର ଶାଖା ନେଇ ଘରେ ରଖିବା ଯାହା ଆମକୁ କୃଷ୍ଣ ସମାନ ସାନିଧ୍ୟ ଦେବ। ଏହା ବିଚାର କରି ଗୋପୀମାନେ ସେହି ମହା କେନ୍ଦୁ ବୃକ୍ଷର ଶାଖାମାନ ଛେଦନ କଲେ। ଗୋପୀମାନଙ୍କ ଏପରି କାଣ୍ଡ ଦେଖି କୃଷ୍ଣ ଗୋପାଳ ବାଳକମାନଙ୍କ ସହ ଆସି ଗୋପୀମାନେ ଛେଦନ କରିଥିବା କେନ୍ଦୁ ବୃକ୍ଷର ଶାଖାକୁ ଧାରଣ କଲେ। କେନ୍ଦୁ ବୃକ୍ଷର ଶାଖା ରଶ କଦମ୍ବ ବା ସିମଲ୍ ଗଛ ଉପରେ ଭାର ହୋଇ ରହିଗଲା। ସେହି ମହା କେନ୍ଦୁ ଶାଖାରୁ ବାଡି ପ୍ରସ୍ତୁତ ହେଲା, ଯାହା ଶିରି ସମଲେଇ ବାଡି ନାମରେ ଖ୍ୟାତ ହେଲେ।
“ରସ କଦମ୍ବର ବୃକ୍ଷକୁ ଲାଗି
ମହା କେନ୍ଦୁ ଗଛ ଥିଲାଟି ଜାଗି
କୃଷ୍ଣ ପରି ତନୁ ଦିଶେ ଶୋଭନ
ଗୋପିଏ ତାହାକୁ କଲେ ଛେଦନ ଯେ,
ଗୋପାଳେ ତାକୁ ଧଇଲୁ
ଶୀରି ସମଲେଇ ବାଡି ବୋଲିକରି
ପୂଜା ଆରାଧନା କଲୁ ସୁଜ୍ଞଜନେ
ଷୋହଳ ଛାନ୍ଦ ଖେଳିଲୁ।”
କୃଷ୍ଣ ନିଜ ସଖାମାନଙ୍କୁ କେନ୍ଦୁ ବାଡ଼ି ପୂଜା କରିବାକୁ କହିଲେ। ଏଥିପାଇଁ ସପ୍ତବଂଶୀ ଗୋପାଳ କୂଳ ବିନ୍ଧ୍ୟ ପର୍ବତର ଶିଖରକୁ ଯାଇ ଯୋଗମାୟାକୁ ଆରଧନା କଲେ। ଦେବୀ ଯୋଗମାୟା ଚଣ୍ଡୀ ରୂପରେ କେନ୍ଦୁ ବାଡ଼ି ମଧ୍ୟରେ ପ୍ରବେଶ କଲେ। ସପ୍ତବଂଶୀ ଯାଦବ କୂଳର ଦ୍ବିତୀୟ ଶାଖା ହେଉଛନ୍ତି ଦୟୋଦ। ଦୟୋଦଙ୍କ ଶାଖାର ବନ୍ଦିଛୋଡ ଉପବଂଶର ଜଣେ ବୀର ବାଳକ ସେହି କେନ୍ଦୁ ବାଡିକୁ ଆଣି ବୃନ୍ଦାବନରେ ପହଞ୍ଚିଲେ। ପୂର୍ବରୁ ଦୁଇଗୋଟି ବାଡ଼ି ଶିରି ସମଲେଇ ନାମରେ ଥିଲେ, ବିନ୍ଧ୍ୟ ପର୍ବତରୁ ଆସିଥିବା କେନ୍ଦୁ ବାଡ଼ି (ଚଣ୍ଡୀ) କୁ ମିଶାଇ ତିନିଗୋଟି ବାଡ଼ି ଗୋଟିଏ ସ୍ଥାନରେ ପୂଜା ପାଇଲେ। ବୃନ୍ଦାବନରେ ଗୋପାଳମାନେ ଚଣ୍ଡୀ ସମଲେଇଙ୍କୁ ସ୍ଥାପନ କରି ବାଡ଼ି ପୂଜା କଲେ। ଭଗବାନ ଶ୍ରୀକୃଷ୍ଣ ଗୋପାଳ ବାଳକ ମାନଙ୍କ ଆଗରେ ଦେବୀ ଯୋଗମାୟାଙ୍କ ମହିମା ବଖାଣିବାକୁ ଯାଇ କହୁଛନ୍ତି – ଦେବୀ ଯୋଗମାୟା ପରମପବିତ୍ର ଯଦୁବଂଶରେ ନନ୍ଦ ଯଶୋଦାଙ୍କ କୋଳରେ ଜନ୍ମଲାଭ କରିଥିଲେ। ଯେତେବେଳେ ମା’ ଯୋଗମାୟାଙ୍କ କୃଷ୍ଣ ଜନ୍ମ ଲୀଳାର କାର୍ଯ୍ୟ ସରିଗଲା ସେତେବେଳେ ଦେବତାମାନେ ତାଙ୍କୁ ସ୍ତୁତି କରି କହିଲେ – ‘ହେ ଦେବୀ ଏବେ ଆପଣଙ୍କ କାର୍ଯ୍ୟ ସମାପ୍ତ ହୋଇଛି, ଆପଣ ସ୍ୱସ୍ଥାନରେ ଯାଇ ଅବସ୍ଥାନ କରନ୍ତୁ।’ ସେତେବେଳେ ଦେବୀ କହିଥିଲେ – ‘ନାଁ ମୁଁ ଏହି ପୃଥିବୀରେ ହିଁ ଭିନ୍ନଭିନ୍ନ ରୂପ ଧରି ରହିବି, ଯେଉଁ ଭକ୍ତ ମୋତେ ଯେଉଁ ରୂପରେ ଧ୍ୟାନ କରିବ ମୁଁ ସେହି ରୂପରେ ଦର୍ଶନ ଦେବି। ମୋର ପ୍ରଥମ ନିବାସ ସ୍ଥାନ ହେବ ବିନ୍ଧ୍ୟାଦ୍ରୀ।’ ଦେବଗଣ ମାଆଙ୍କ ଠାରୁ ଏହା ଶୁଣି ବିନ୍ଧ୍ୟ ପର୍ବତ ଉପରେ ଏକ ଶକ୍ତିପୀଠ ନିର୍ମାଣ କଲେ ଓ ମାଆ ଯୋଗମାୟାଙ୍କୁ ସ୍ଥାପନା କଲେ। ଶ୍ରୀମଦ ଭାଗବତ ମହାପୁରାଣରେ ଏହି ଗାଥା ରହିଛି।
ନନ୍ଦଗୋପ ଗୃହେ ଜାତା
ଯଶୋଦା ଗର୍ଭସମ୍ଭବାଃ।।
ତତସ୍ତୋ ନାଶ ୟଶ୍ୟାମୀ
ବିନ୍ଧ୍ୟାଚଳ ନିବାସିନିଃ।।
ଦୁର୍ଗା ସପ୍ତଶତିରେ କୁହାଯାଇଛି ଦେବତା ମାନଙ୍କ ଅନୁରୋଧ କ୍ରମେ ଦେବୀ ସେମାନଙ୍କୁ ଆଶ୍ୱାସନା ଦେଇ କହୁଛନ୍ତି – ‘ଦେବଗଣ! ବୈବସ୍ଵତ ମନ୍ଵନ୍ତର ଅଠାଇଶ ତମ ଯୁଗରେ ଶୁମ୍ଭ ନିଶୁମ୍ଭ ନାମକ ଦୁଇଟି ମହାଦୈତ୍ୟ ଉତ୍ପନ୍ନ ହେବେ। ସେତେବେଳେ ଗୋପ ପୁରରେ ମୁଁ ନନ୍ଦରାଣୀ ଯଶୋଦାଙ୍କ ଗର୍ଭରେ ଜନ୍ମ ହୋଇ ବିନ୍ଧ୍ୟ ପର୍ବତରେ ଯାଇ ରହିବି। ଏହି ସମୟରେ ମୁଁ ଏହି ଦୈତ୍ୟ ଦ୍ବୟଙ୍କୁ ବିନାଶ କରିବି।’ ଦେବୀ ମହାମାୟା ବିନ୍ଧ୍ୟାଚଳ ବାସିନୀ। ଯୋଗମାୟାଙ୍କୁ ଯାଦବମାନେ ଭିନ୍ନ ଭିନ୍ନ ନାମରେ ନିଜ ଇଷ୍ଟଦେବୀ ଭାବେ ପୂଜା କରିଥାନ୍ତି। ମଗଧା ଯାଦବମାନେ ବୁଢୀମାଁ ଏବଂ ଚଣ୍ଡୀ ଭାବେ ଦେବୀଙ୍କ ଆରଧନା କରିଥାନ୍ତି।
ମାର୍କଣ୍ଡେୟ ପୁରାଣର ଦୁର୍ଗା ସପ୍ତଶତୀ ଅନୁଯାୟୀ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମା’ ଯୋଗମାୟାଙ୍କୁ ମାତୃ ରୂପରେ ଉପାସନା କରିଥାନ୍ତି। ଯଦ୍ୱାରା ତ୍ରିଦେବ ଏ ସୃଷ୍ଟି ସର୍ଜନା, ପାଳନ ତଥା ସଂହାର ପାଇଁ ସମର୍ଥ ହୋଇଥାନ୍ତି। ମାଆ ଯୋଗମାୟା ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ଭାବେ ନନ୍ଦ ଗୃହରେ ଯଶୋଦାଙ୍କ ଗର୍ଭରୁ ସମ୍ଭୁତା ହୋଇଥିଲେ। ତାଙ୍କର ନାମ ପରେ ହୋଇ ଥିଲା ଏକାନଂସା। ଏକାନଂସା ଶ୍ରୀକୃଷ୍ଣଙ୍କୁ ଜୀବନ ଭରି ସହାୟତା କରିଥିଲେ। ସେ ଶ୍ରୀକୃଷ୍ଣଙ୍କ ସାଥିରେ ଯୋଗବିଦ୍ୟା ଏବଂ ମହାବିଦ୍ୟା ଭାବେ ରହି କଂସ ଚାଣୁର, ମୁଷ୍ଟିକ ଆଦି ମହାମହା ବଳଶାଳୀ ଅସୁର ମାନଙ୍କୁ ସଂହାର କରିଥିଲେ। ଶ୍ରୀମଦ ଭାଗବତ ମହାପୁରାଣ ଅନୁଯାୟୀ ମାଆଙ୍କର ବିଭିନ୍ନ ନାମ ରହିଛି ଯଥା :-
‘ଭକତେ ହୋଇବୁ ପ୍ରସନ୍ନ।
ଅନେକ ହେବ ତୋର ନାମ।।
ଜୟା, ବିଜୟା, ଭଦ୍ରକାଳୀ।
ମଙ୍ଗଳା, ଚଣ୍ଡିକା, କଙ୍କାଳୀ।।
କନ୍ୟକା, କୃଷ୍ଣା ଯେ ମାଧବୀ।
ଇଶାନୀ, ଶାରଦା, ବୈଷ୍ଣବୀ।।
ଦୁର୍ଗା, ଅମ୍ବିକା, ନାରାୟଣୀ।
ଏକୁ ଅନେକ ନାମ ଭଣି।।’
ତେଣୁ ଗୋପାଳ ବାଳକ ମାନଙ୍କ ଆରଧନାରେ ପ୍ରଶନ୍ନ ହୋଇ ଦେବୀ ମହାମାୟା ଚଣ୍ଡୀ ରୂପରେ ଆବିର୍ଭୂତ ହୋଇଥିଲେ। ଦେବୀଙ୍କ ସତ୍ତା (ବାନା) କେନ୍ଦୁ ବାଡ଼ି ମଧ୍ୟରେ ରହିଥିବାରୁ ଏହାକୁ ବାନା ବାଡ଼ି ବୋଲି କୁହାଗଲା। ପରେ ବାନା ବାଡ଼ି ଶବ୍ଦ ଅପଭ୍ରଂଶ ହୋଇ ବନା ବାଡ଼ି ହୋଇଥିବା ଲୋକଶୃତିରୁ ଜଣାଯାଏ। ତେବେ କେନ୍ଦୁ ବାଡି କୃଷ୍ଣ ବଳରାମଙ୍କ ଦ୍ବାରା ଏକ ସ୍ଥାନରେ ସ୍ଥାପିତ ହୋଇ ସେଠାରେ ଚଣ୍ଡୀ ସମଲେଇ ଦେବୀଙ୍କ ପୂଜାର୍ଚ୍ଚନା କରାଗଲା। ଏପଟେ ଯଦୁବଂଶର ଦ୍ବିତୀୟ ଶାଖା କାଳକ୍ରମେ ଓଡ଼ିଶାରେ ମଗଧା ଯାଦବ ନାମରେ ଖ୍ୟାତ ହେଲେ। ମଗଧା ଯାଦବମାନେ ଯେ କୌଣସି ପୂଜା ପୂର୍ବରୁ ଚଣ୍ଡୀ ସମଲେଇ ପୂଜା କରିଥାନ୍ତି। ଚଣ୍ଡୀ ସମଲେଇ ପୂଜାରେ ତିନିଗୋଟି କେନ୍ଦୁ ବାଡିକୁ ଠିଆ ରଖି ପୂଜା କରାଯାଇଥାଏ। ଆଜି ମଧ୍ୟ ମଗଧା ଯାଦବମାନେ ବିବାହ ଏବଂ ଅନ୍ୟାନ୍ୟ ପୂଜାପାଠ ପୂର୍ବରୁ ଚଣ୍ଡୀ ସମଲେଇଙ୍କ ପୂଜା କରିଥାନ୍ତି। କେନ୍ଦୁ ବାଡିକୁ ସିଆଲ୍ ପଟ୍ ଗୁଡାଇ ନିଆଁରେ ପୋଡ଼ା ଯାଇଥାଏ ତେଣୁ ଏହି ବାଡିର ଅଧା ଅଂଶ ଧଳା ଓ ଅଧା ଅଂଶ କଳା ହୋଇଥାଏ। ଏହା ବନା ପରି ଦିଶୁଥିବାରୁ କେନ୍ଦୁ ବାଡିକୁ ‘ବନା ବାଡି’ ବୋଲି ମଧ୍ୟ କୁହାଯାଇଥାଏ। ମଗଧା ଯାଦବ ମାନଙ୍କ ଭାଟ (ବଡ଼ ଗଉଡ) ଘରର ସ୍ତ୍ରୀଲୋକମାନେ ଅନ୍ୟ ମହିଳାମାନଙ୍କୁ ବନା (ଚିତା) ଗୁଦେଇ ଦେଇଥାନ୍ତି। ଯାଦବ ମହିଳାଙ୍କ ହାତରୁ ଗୁଦେଇ ହେଲେ ଯମ ଦଣ୍ଡରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। ତେଣୁ କଳାହାଣ୍ଡି-ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାର ମହିଳାମାନେ ଆଜି ମଧ୍ୟ ବନା ଗୁଦେଇ ହୋଇଥାନ୍ତି। ଅନ୍ୟ ପକ୍ଷରେ ବନା ବାଡ଼ିକୁ ଦର୍ଶନ କଲେ କୋଟି ପୂଣ୍ୟ ଲାଭ ହୋଇଥାଏ। ତେଣୁ ମଗଧା ଯାଦବମାନେ ଖେଳୁଥିବା ବନା ବାଡ଼ି ଦେଖିବାକୁ ସମସ୍ତଙ୍କ ମନରେ ଉତ୍ସୁକତା ବଢ଼ିଥାଏ।
ପୂର୍ବରୁ ମହାଦେବ ଗୋବର୍ଦ୍ଧନ ମଲ୍ଲଙ୍କୁ ଗୋପପୁରରେ ଜନ୍ମ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହାଦେବ ଗୋବର୍ଦ୍ଧନ ମଲ୍ଲଙ୍କୁ କହିଥିଲେ, ଗୋଲୋକବିହାରୀ କୃଷ୍ଣ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିବେ। ତୁମେ ତାଙ୍କୁ ଗୋବିଦ୍ୟା ଶିକ୍ଷା ଦେବ। କୃଷ୍ଣ ବଳରାମ ଗୋପରେ ଗୋବର୍ଦ୍ଧନ ମଲ୍ଲଙ୍କ ପାଖରୁ ଗୋବିଦ୍ୟା ଶିକ୍ଷା ଗ୍ରହଣ କଲେ। ଏହାସହ ଗୋବର୍ଦ୍ଧନ ମଲ୍ଲ ବଳରାମଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ପୂର୍ବରୁ କୃଷ୍ଣଙ୍କ ସମେତ ସମସ୍ତ ଗୋପାଳ କେନ୍ଦୁବାଡି ଧାରଣକରି ଗାଇ ଚରାଉଥିଲେ। ଦିନେ କୃଷ୍ଣ ଗୋପାଳ ମାନଙ୍କୁ ଗୋପପୁର ସମସ୍ତ ଅସ୍ତ୍ରଶସ୍ତ୍ର ଆଣିବାକୁ କହିଲେ। ଗୋପାଳମାନେ ଅସ୍ତ୍ର ଶସ୍ତ୍ର ନେଇ ଆସିବା ପରେ କୃଷ୍ଣ ସେସବୁକୁ ଯମୁନା ଜଳରେ ନିକ୍ଷେପ କଲେ। ଗୋପାଳ ମାନଙ୍କୁ ସମ୍ବୋଧିତ କରି କୃଷ୍ଣ କହିଲେ, ଆଜିଠାରୁ ଆଉ ଗୋପପୁରରେ କେହି ମଧ୍ୟ ଅସ୍ତ୍ର ଧାରଣ କରିବେ ନାହିଁ। ସେ ବଡଭାଇ ବଳରାମଙ୍କୁ ଅନୁରୋଧ କଲେ କେନ୍ଦୁ ବାଡି ଖେଳ ଶିକ୍ଷା ଦେବାପାଇଁ। ବଳରାମ ଶିରି ସମଲେଇ ବାଡିଧରି ଗୋପାଳ ବାଳକ ମାନଙ୍କୁ ୧୬ଛାନ୍ଦ ବାଡି ଖେଳ ଶିକ୍ଷାଦେଲେ। କେନ୍ଦୁ ବାଡି ଗୋପାଳ ବାଳକମାନଙ୍କୁ ସବୁ ସମୟରେ ସୁରକ୍ଷା ଦେଲା। ତେଣୁ ଆଜିବି ଯାଦବମାନେ ଶିରି ସମଲେଇ ବାଡିକୁ ପୂଜା କରି ବାଡି ଖେଳିଥାନ୍ତି ଓ ସଚ୍ଚିଦାନନ୍ଦ ଆନନ୍ଦକନ୍ଦ ପ୍ରେମ ସ୍ବରୂପ ଶ୍ରୀକୃଷ୍ଣଙ୍କ ସହିତ ଦ୍ବାପରର ସେହି ଲୀଳାଖେଳାକୁ ସ୍ମରଣ କରି ମହା ଆନନ୍ଦରେ କୃଷ୍ଣ ଗୁଣ ଗାଇ ଗାଇ ନାଚି ଖେଳି ଆନନ୍ଦ ବିଭୋର ହୋଇ ଥାଆନ୍ତି। ଅନ୍ୟାନ୍ୟ ବର୍ଗର ଯାଦବମାନେ କେନ୍ଦୁ ବାଡ଼ିକୁ ଧରି ପ୍ରଦର୍ଶନ କରୁଥିବା କ୍ରୀଡାକୁ ଲଉଡି ଖେଳ ବୋଲି କୁହା ଯାଉଥିବାବେଳେ ମଗଧା ଯାଦବମାନେ ପ୍ରଦର୍ଶନ କରୁଥିବା କେନ୍ଦୁ ବାଡ଼ି ଖେଳକୁ ‘ବନା ବାଡି’ ବୋଲି କୁହା ଯାଇଥାଏ। ବନା ବାଡ଼ି ଖେଳ ହେଉଛି ମଗଧା ଯାଦବ ସଂପ୍ରଦାୟ ଦ୍ବାରା ପରିବେଷିତ ହେଉଥିବା ଏକ ସାମରିକ କଳା।