ସତ୍ୟ ଯୁଗର କଥା । ଉର୍ମିଳା ନାମକ ଜଣେ ସ୍ବର୍ଗ ବିଦ୍ୟାଧାରୀ ଭଗବାନଙ୍କୁ ପାଇବା ପାଇଁ କଠୋର ତପସ୍ୟା କରି ଧ୍ଯାନରେ ଭଗବାନଙ୍କ ଅପୂର୍ବ ରୂପ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲେ । ଭଗବାନଙ୍କ ମୂରଲୀଧର ବାଳ ଗୋପାଳ ରୂପରେ ବିମୋହିତ ହୋଇ ସେ ତାଙ୍କର ଅଙ୍ଗ ସଙ୍ଗ ଲାଭ କରିବାର ଅଭିଳାଷ ପୋଷଣ କଲେ । ଉର୍ମିଳାଙ୍କ ତପରେ ସନ୍ତୁଷ୍ଟ ହୋଇ ଭଗବାନ କହିଲେ, ଉର୍ମିଳା ! ତୁମେ ଯାହା କାମନା କରିଛ ତାହା ବର୍ତ୍ତମାନ ପୁରଣ ହୋଇ ପାରିବ ନାହିଁ। ଏଥିପାଇଁ ତୁମକୁ ଆଉ ଦୁଇଟି ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ବର୍ତ୍ତମାନ ସତ୍ୟ ଯୁଗ ଚାଲିଛି। ଏହାପରେ ତ୍ରେତୟା ଯୁଗ ଆସିବ, ତା’ପରେ ଆସିବ ଦ୍ବାପର ଯୁଗ। ସେହି ଯୁଗରେ ଦୁଷ୍ଟ ଦଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରି, ମୁଁ ଏହି ମୁରଲୀଧର ବାଳଗୋପାଳ କୃଷ୍ଣ ରୂପରେ ଗୋପ ବୃନ୍ଦାବନରେ ଅନେକ ଦିନ ଲୀଳା ଖେଳା କରିବି | ମଥୁରାର କାରାଗାରରେ ଜନ୍ମ ହୋଇ ଗୋପରେ ଯାଇ ବଢିବି । ତୁମେ ସେତେବେଳେ ମୋର ସ୍ପର୍ଶ ଓ ଅଙ୍ଗସଙ୍ଗ ଲାଭକରିବାର ସୌଭାଗ୍ଯ ପ୍ରାପ୍ତ ହେବ । ତୁମକୁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଉର୍ମିଳା କହିଲେ ପ୍ରଭୁ ! ମାତ୍ର ଦୁଇଟି ଯୁଗ କାହିଁକି ମୁଁ ଆପଣଙ୍କ ସ୍ପର୍ଶ୍ବ ପାଇବା ପାଇଁ ଏମିତି ଅନେକ ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିପାରେ। ଭଗବାନଙ୍କ ସାନିଧ୍ଯ ଅପେକ୍ଷାରେ ଉର୍ମିଳା ଏକ କେନ୍ଦୁ ବୃକ୍ଷ ହୋଇ ବୃନ୍ଦାବନରେ ଜନ୍ମ ନେଲେ । ଏମିତି ଯୁଗ ପରେ ଯୁଗ ବିତିଗଲା। ଦ୍ବାପରରେ ଗୋଲୋକ ବିହାରୀ ଶ୍ରୀକୃଷ୍ଣ ପରିପୁର୍ଣ୍ଣତମ ଅବତାର ରୁପରେ ଜନ୍ମ ଗ୍ରହଣ କଲେ। ଉର୍ମିଳା ରସ କଦମ୍ବ ବୃକ୍ଷ ପାର୍ଶ୍ଵରେ ମହା କେନ୍ଦୁ ବୃକ୍ଷ ହୋଇ କୃଷ୍ଣଙ୍କ ଅପେକ୍ଷାରେ ଥାନ୍ତି। ଭଗବାନ କୃଷ୍ଣ ଗୋପୀମାନଙ୍କୁ ଏପରି ପାଗଳ କରିଦେଇଥାନ୍ତି ଯେ, ସେମାନେ ସବୁବେଳେ କୃଷ୍ଣଙ୍କ ଧ୍ୟାନରେ ରହୁଥିଲେ। ଦିନେ କୃଷ୍ଣଙ୍କୁ ନପାଇ ଗୋପୀମାନେ ବୃନ୍ଦାବନରେ ତାଙ୍କର ଅନ୍ୱେଷଣ କରୁଥାନ୍ତି। ସେହି ସମୟରେ ସେମାନେ ଦେଖିଲେ ରସ କଦମ୍ବ ପାର୍ଶ୍ବରେ କୃଷ୍ଣ ବର୍ଣ୍ଣର ଏକ ବୃକ୍ଷ ରହିଛି। ଗୋପୀମାନେ ଭାବିଲେ କୃଷ୍ଣ ତ ସବୁବେଳେ ଆମ ପାଖରେ ରହୁ ନାହାନ୍ତି। ଏହି ବୃକ୍ଷର ଶାଖା ନେଇ ଘରେ ରଖିବା ଯାହା ଆମକୁ କୃଷ୍ଣ ସମାନ ସାନିଧ୍ୟ ଦେବ। ଏହା ବିଚାର କରି ଗୋପୀମାନେ ସେହି ମହା କେନ୍ଦୁ ବୃକ୍ଷର ଶାଖାମାନ ଛେଦନ କଲେ। ଗୋପୀମାନଙ୍କ ଏପରି କାଣ୍ଡ ଦେଖି କୃଷ୍ଣ ଗୋପାଳ ବାଳକମାନଙ୍କ ସହ ଆସି ଗୋପୀମାନେ ଛେଦନ କରିଥିବା କେନ୍ଦୁ ବୃକ୍ଷର ଶାଖାକୁ ଧାରଣ କଲେ। ସେହି ମହା କେନ୍ଦୁ ଶାଖାରୁ ବାଡି ପ୍ରସ୍ତୁତ ହେଲା, ଯାହା ଶିରି ସମଲେଇ ବାଡି ନାମରେ ଖ୍ୟାତ ହେଲେ। କୃଷ୍ଣଙ୍କ ସମେତ ଗୋପାଳ ବାଳକ ମାନେ କେନ୍ଦୁ ବାଡି ଧରି ଗୋରୁ ପଛେ ପଛେ ଚାଲିଲେ। ତେବେ ସମଲେଇ ବାଡି କୃଷ୍ଣଙ୍କ ଦ୍ବାରା ଏକ ସ୍ବତନ୍ତ୍ର ସ୍ଥାନରେ ସ୍ଥାପିତ ହୋଇ ପୂଜା ପାଇଲେ।
“ରସ କଦମ୍ବର ବୃକ୍ଷକୁ ଲାଗି
ମହା କେନ୍ଦୁ ଗଛ ଥିଲାଟି ଜାଗି
କୃଷ୍ଣ ପରି ତନୁ ଦିଶେ ଶୋଭନ
ଗୋପିଏ ତାହାକୁ କଲେ ଛେଦନ ଯେ,
ଗୋପାଳେ ତାକୁ ଧଇଲୁ
ଶୀରି ସମଲେଇ ବାଡି ବୋଲିକରି
ପୂଜା ଆରାଧନା କଲୁ ସୁଜ୍ଞଜନେ
ବତିଶି ଛାନ୍ଦ ଖେଳିଲୁ।”
ପୂର୍ବରୁ ମହାଦେବ ଗୋବର୍ଦ୍ଧନ ମଲ୍ଲଙ୍କୁ ଗୋପପୁରରେ ଜନ୍ମ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହାଦେବ ଗୋବର୍ଦ୍ଧନ ମଲ୍ଲଙ୍କୁ କହିଥିଲେ, ଗୋଲୋକବିହାରୀ କୃଷ୍ଣ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିବେ। ତୁମେ ତାଙ୍କୁ ଗୋବିଦ୍ୟା ଶିକ୍ଷା ଦେବ। କୃଷ୍ଣ ବଳରାମ ଗୋପରେ ଗୋବର୍ଦ୍ଧନ ମଲ୍ଲଙ୍କ ପାଖରୁ ଗୋବିଦ୍ୟା ଶିକ୍ଷା ଗ୍ରହଣ କଲେ। ଏହାସହ ଗୋବର୍ଦ୍ଧନ ମଲ୍ଲ ବଳରାମଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ପୂର୍ବରୁ କୃଷ୍ଣଙ୍କ ସମେତ ସମସ୍ତ ଗୋପାଳ କେନ୍ଦୁବାଡି ଧାରଣକରି ଗାଇ ଚରାଉଥିଲେ। ଦିନେ କୃଷ୍ଣ ଗୋପାଳ ମାନଙ୍କୁ ଗୋପପୁର ସମସ୍ତ ଅସ୍ତ୍ରଶସ୍ତ୍ର ଆଣିବାକୁ କହିଲେ। ଗୋପାଳମାନେ ଅସ୍ତ୍ର ଶସ୍ତ୍ର ନେଇ ଆସିବା ପରେ କୃଷ୍ଣ ସେସବୁକୁ ଯମୁନା ଜଳରେ ନିକ୍ଷେପ କଲେ। ଗୋପାଳ ମାନଙ୍କୁ ସମ୍ବୋଧିତ କରି କୃଷ୍ଣ କହିଲେ, ଆଜିଠାରୁ ଆଉ ଗୋପପୁରରେ କେହି ମଧ୍ୟ ଅସ୍ତ୍ର ଧାରଣ କରିବେ ନାହିଁ। ସେ ବଡଭାଇ ବଳରାମଙ୍କୁ ଅନୁରୋଧ କଲେ କେନ୍ଦୁ ବାଡି ଖେଳ ଶିକ୍ଷା ଦେବାପାଇଁ। ବଳରାମ ଶିରି ସମଲେଇ ବାଡିଧରି ଗୋପାଳ ବାଳକ ମାନଙ୍କୁ ୩୨ଛାନ୍ଦ ବାଡିଖେଳ ଶିକ୍ଷାଦେଲେ। କେନ୍ଦୁବାଡି ଗୋପାଳ ବାଳକମାନଙ୍କୁ ସବୁ ସମୟରେ ସୁରକ୍ଷା ଦେଲା। ତେଣୁ ଆଜିବି ଯାଦବମାନେ ଶୀରି ସମଲେଇ ବାଡିକୁ ପୂଜା କରି ବାଡି ଖେଳିଥାନ୍ତି ଓ ସଚ୍ଚିଦାନନ୍ଦ ଆନନ୍ଦକନ୍ଦ ପ୍ରେମ ସ୍ବରୂପ ଶ୍ରୀକୃଷ୍ଣଙ୍କ ସହିତ ଦ୍ବାପରର ସେହି ଲୀଳାଖେଳାକୁ ସ୍ମରଣ କରି ମହା ଆନନ୍ଦରେ କୃଷ୍ଣ ଗୁଣ ଗାଇ ଗାଇ ନାଚି ଖେଳି ଆନନ୍ଦ ବିଭୋର ହୋଇ ଥାଆନ୍ତି ।