କାହା ମୁଣ୍ଡରେ ସୁନା କଳସ ଲାଗିବ ତାହାକୁ ନେଇ ଅପେକ୍ଷା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟରେ ପୈ।ର ନିର୍ବାଚନ ସରିଯାଇଛି । ଅଧ୍ୟକ୍ଷ ପଦବୀ ପାଇଁ ଚଳିତ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଭୋଟର ଭୋଟ ଦେଇଥିଲେ । ହେଲେ ଉପାଧ୍ୟକ୍ଷ ପଦବୀ କିନ୍ତୁ ପରୋକ୍ଷ ଭାବରେ ନିର୍ବାଚନ ହେବ । ତେଣୁ ଉପାଧ୍ୟକ୍ଷ ପଦବୀକୁ ନେଇ ଅନେକ କାଉନସିଲର ନିଜର ଲବି ଆରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ସେହିପରି ୧୨ ଗୋଟି ଓ୍ବାର୍ଡରେ ମଧ୍ୟ ବିଜେଡି ଦଳର ୯ କାଉନସିଲର ବିଜୟୀ ହୋଇଥିବା ବେଳେ କଂଗ୍ରେସ, ବିଜେପି ଓ ସ୍ବାଧିନରୁ ଜଣେ ଲେଖାଏଁ କାଉନସିଲର ବିଜୟୀ ହୋଇଛନ୍ତି । ଯାହାକି କେସିଙ୍ଗା ଏନ୍ଏସିର ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ଦଖଲ କରିବାକୁ ରହିଥିବା ଉପାଧ୍ୟକ୍ଷ ପଦବୀକୁ ନେଇ ବିଜେଡିର ଅନେକ କାଉନସିଲର ଆଶାୟୀ ରହି ନିଜ ନିଜର ଲବି ଆରମ୍ଭ କରିଥିବା ଜଣାପଡିଛି । ତେବେ ବିଜେଡି ଦଳ ପକ୍ଷରୁ କାହାକୁ ଉପାଧ୍ୟକ୍ଷ ଭାବେ ନାମ ଘୋଷଣା କରିବ ସେ ନେଇ ସ୍ପଷ୍ଟ ଜଣାପଡି ନଥିବା ବେଳେ କେସିଙ୍ଗା ଏନ୍ଏସି ଉପାଧ୍ୟକ୍ଷ ପଦବୀକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ପ୍ରକାଶ ଯେ, କେସିଙ୍ଗା ଏନ୍ଏସି ର ୧୨ ଗୋଟି ଓ୍ବାର୍ଡରୁ ୩, ୪ ଓ ୬ ନମ୍ବର ଓ୍ବାର୍ଡକୁ ଛାଡିଦେଲେ ବାକି ସମସ୍ତ ଓ୍ବାର୍ଡରେ ବିଜେଡି ଦଳର କାଉନସିଲର ବିଜୟୀ ହୋଇଛନ୍ତି । ବିଜେଡି ର ୯ ଜଣ କାଉନସିଲରଙ୍କ ମଧ୍ୟରେ ଉପାଧ୍ୟକ୍ଷ ପାଇଁ ୬ ଜଣ ମହିଳା କାଉନସିଲରଙ୍କ ନାମ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି । ଓ୍ବାର୍ଡ ନମ୍ବର ୧ ର କାଉନସିଲର ମଞ୍ଜୁଲା ସାହୁ, ଓ୍ବାର୍ଡ ନମ୍ବର ୫ ର କାଉନସିଲର ମଞ୍ଜୁ ମାଝୀ, ଓ୍ବାର୍ଡ ନମ୍ବର ୮ ର କାଉନସିଲର ସରସ୍ବତୀ ସାହା, ଓ୍ବାର୍ଡ ନମ୍ବର ୯ର କବିତା ମାଝୀ, ଓ୍ବାର୍ଡ ନମ୍ବର ୧୦ ର ପ୍ରେଣା ନାଏକ ଓ ଓ୍ବାର୍ଡ ନମ୍ବର ୧୨ର ହେମ ସୁନାଙ୍କ ନାମ ଚର୍ଚ୍ଚା ରହିଛି। ତେବେ ନଗର ବିଜେଡି ପକ୍ଷରୁ ୪ ଜଣଙ୍କ ନାମ ଜିଲ୍ଲାକୁ ପଠାଇବାର ସୂଚନା ମିଳିଛି । ତେବେ ୬ ଜଣ ଆଶାୟୀ କାଉନସିଲରଙ୍କ ମଧ୍ୟରେ କେଉଁ ୪ ଜଣଙ୍କ ନାମ ଜିଲ୍ଲାକୁ ପଠାଯିବ ତାହା ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଯେଉଁ ଓ୍ବାର୍ଡରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ଅଧିକ ସଂଖ୍ୟାରେ ଭୋଟ ପାଇବ ସେହି ଓ୍ବାର୍ଡର ବିଜୟୀ ହୋଇଥିବା କାଉନସିଲରଙ୍କୁ ଉପାଧ୍ୟକ୍ଷ ପାଇଁ ପ୍ରଥମେ ସୁଯୋଗ ମିଳିବ ବୋଲି ନିର୍ବାଚନ ପ୍ରଚାର ସମୟରେ ବିଜେଡି ପକ୍ଷରୁ କୁହାଯାଇଥିଲା । ଯାହାକି ୧୨ ଗୋଟି ଓ୍ବାର୍ଡ ମଧ୍ୟରେ ଓ୍ବାର୍ଡ ନମ୍ବର ୧ରୁ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୬୨୩ ଖଣ୍ଡ ଭୋଟ ପାଇଥିବା ବେଳେ କାଉନସିଲର ଭାବରେ ମଞ୍ଜୁଲା ସାହୁ ୫୨୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତେଣୁ ଓ୍ବାର୍ଡ ନମ୍ବର ୧ ର କାଉନସିଲର ମଞ୍ଜୁଲା ସାହୁ ଉପାଧ୍ୟକ୍ଷ ପାଇଁ ଆଶାୟୀ ରହିଛନ୍ତି । ତେବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ନୃପରାଜ ଯାଦବ ଓ୍ବାର୍ଡ ନମ୍ବର ୧ ର ବାସିନ୍ଦା ହୋଇଥିବାରୁ ଉପାଧ୍ୟକ୍ଷ ପଦବୀ ଅନ୍ୟ ଓ୍ବାର୍ଡର କାଉନସିଲରଙ୍କୁ ଦେବା ପାଇଁ ଦଳ ପକ୍ଷରୁ ଚର୍ଚ୍ଚା ହେଉଛି । ସେହିପରି ଓ୍ବାର୍ଡ ନମ୍ବର ୫ ଜଣ କାଉନସିଲର ମଞ୍ଜୁ ମାଝୀ ଉପାଧ୍ୟକ୍ଷ ପଦବୀ ପାଇଁ ଲବିରେ ରହିଥିବା ବେଳେ ସେ ପୂର୍ବରୁ ଦୁଇ ଥର କାଉନସିଲର ମଧ୍ୟ ହୋଇଥିଲେ । ତେଣୁ ମଞ୍ଜୁ ମାଝୀଙ୍କ ଅଭିଜ୍ଞତା ଦୃଷ୍ଟିକୁ ବିଚାରକୁ ନେଲେ ସେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଓ୍ବାର୍ଡ ନମ୍ବର ୮ ର ବିଜେଡି କାଉନସିଲର ସରସ୍ଵତୀ ସାହା, ଓ୍ବାର୍ଡ ନମ୍ବର ୯ କବିତା ମାଝୀ , ଓ୍ବାର୍ଡ ନମ୍ବର ୧୦ ର ପ୍ରେଣା ନାଏକ ଓ ଓ୍ବାର୍ଡ ନମ୍ବର ୧୨ର ହେମ ସୁନା କାଉନସିଲର ଭାବରେ ନୂଆ ମୁହଁ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦବୀ ପାଇଁ ଏମାନେ ମଧ୍ୟ ଲବିରେ ରହିଥିବା ଜଣାପଡିଛି । ତେବେ କେସିଙ୍ଗା ଏନ୍ଏସି ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡିର କେଉଁ କାଉନସିଲରଙ୍କ ମୁଣ୍ଡରେ ସୁନା କଳସ ଲାଗିବ ତାହା ଦେଖିବାକୁ ବାକି ରହିଲା ।